୧୬ ନଂ. ଏନ୍‌ଏଚ୍‌ରେ ଲାଗିବ ଇଣ୍ଟେଲିଜେନ୍ସ କ୍ୟାମେରା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପୂର୍ବରୁ ସପ୍ତାହେ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଥର ମାସେ ଯାଏ ଚାଲିବ। ରାଜ୍ୟରେ ଯାନବାହନ ଦୁର୍ଘଟଣାକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମୋଟରସାଇକେଲ ଚାଳକ ଓ ଆରୋହୀଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରିବା ପରେ ଜାତୀୟ ରାଜପଥରେ ମନଇଚ୍ଛା ଗାଡ଼ିଚାଳନା ଉପରେ ନଜର ରଖାଯିବ। ଅମାନିଆ ଗାଡ଼ିଚାଳକଙ୍କ ଉପରେ ନଜର ରଖିବାକୁ ଇଣ୍ଟେଲିଜେଣ୍ଟ କ୍ୟାମେରା ଲାଗିବ। ୧୬ ନଂ. ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲାର ରାମେଶ୍ୱରଠାରୁ ଯାଜପୁର ଜିଲା ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ। ଜାତୀୟ ରାଜପଥରେ ୪ରୁ ୫ କିଲୋମିଟର ମଧ୍ୟରେ ଗୋଟିଏ ଲେଖାଏ କ୍ଲୋଜ୍‌ ସର୍କିିଟ କ୍ୟାମେରା ଲାଗିବ। ଏହା ଦ୍ରୁତଗତିରେ ଯାଉଥିବା ଚାଳକ ଓ ନକଲି ନମ୍ବରପ୍ଲେଟ୍‌ଧାରୀଙ୍କୁ ଚିହ୍ନଟ କରିବ। ସେହିପରି ସର୍ବସାଧାରଣ ଯାନରେ ଜିପିଏସ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଆହୁରି କଡ଼ାକଡ଼ି କରିବାକୁ ଭେହିକିଲ ଲୋକେଶନ ଟ୍ରାକିଂ ସିଷ୍ଟମ ଲାଗୁ କରାଯିବ। ଫଳରେ ଗାଡିର ଲୋକେଶନ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ନଜର ରଖାଯାଇ ପାରିବ। ସୋମବାର ଆରଟିଓ-୨ରେ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ସଡକ ସୁରକ୍ଷା ବିଷୟରେ ମାସେବ୍ୟାପୀ ସଚେତନତା କରିବା ଲାଗି ପରିବହନ ବିଭାଗ ପକ୍ଷରୁ ଏକ ପ୍ରଚାର ଯାନର ଶୁଭାରମ୍ଭ କରାଯାଇଛି। ଏହାକୁ ମନ୍ତ୍ରୀ ପତାକା ହଲାଇ ଉଦ୍‌ଘାଟନ କରିଛନ୍ତି।