୧୬ରୁ ବକେୟା ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ପୂର୍ବରୁ ସେସୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ତେବେ ବିଭିନ୍ନ ମହଲରୁ ବିରୋଧ ହେବା ପରେ ସେସୁ କର୍ତ୍ତୃପକ୍ଷ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବକେୟା ଦେଇ ନ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକର ବିଦ୍ୟୁତ୍‌ କାଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଲୋଡ ଥିବା ଘରୋଇ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ ହେବ। ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଛି। ତେବେ ବିଦ୍ୟୁତ୍‌ କାଟ ପୂର୍ବରୁ ସମସ୍ତ ବିଲ୍‌ ପଇଠ କରିବାକୁ ସେସୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ବକେୟା ବିଦ୍ୟୁତ୍‌ ବିଲ୍‌ ନ ଦେଲେ ୨୦୨୦ ଜାନୁୟାରୀ ୧୬ରୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ଡିସେମ୍ବର ୧୦ରେ ଘୋଷଣା କରାଯାଇଥିଲା। ୭ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ଉପରେ ୨୦୧୯ ନଭେମ୍ବର ସୁଦ୍ଧା ପ୍ରାୟ ୧୯୭୧ କୋଟି ବକେୟା ରହିଥିଲା। ବିଦ୍ୟୁତ୍‌ କାଟ ଘୋଷଣା କରିବା ପରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଉପଭୋକ୍ତା ନିଜର ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିଲେ। କେତେକ ଉପଭୋକ୍ତା ବିଦ୍ୟୁତ୍‌ ବିଲ୍‌ରେ ତ୍ରୁଟି ଥିବା ଦର୍ଶାଇଛନ୍ତି। ତ୍ରୁଟି ସଂଶୋଧନ ପରେ ସେମାନେ ତାଙ୍କ ବିଲ୍‌ ପଇଠ କରିବେ ବୋଲି କହିଛନ୍ତି।