Categories: ଗଞ୍ଜାମ

୧୫୬ ବର୍ଷର ବ୍ରହ୍ମପୁର ମଣ୍ଡଳ କାରାଗାର : ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ, ନାହାନ୍ତି ଘାତକ

ବ୍ରହ୍ମପୁର ଅଫିସ,୭ା୧୨-ବ୍ରିଟିଶ ଶାସନରେ ଏବଂ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୮୬୩ରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ୧୫୬ ବର୍ଷର ଏହି ପୁରାତନ ଜେଲରେ ଅଛି ରାଜ୍ୟର ଏକମାତ୍ର ଫାଶୀ ଖୁଣ୍ଟ । ଦେଶ ସ୍ବାଧୀନତା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ଅନେକ ସଂଗ୍ରାମୀଙ୍କୁ ଏହି କାରାଗାରରେ ବନ୍ଦୀ କରିଥିଲେ ଗୋରା ସରକାର । ସେମାନଙ୍କ ମଧ୍ୟରେ ଥିଲେ ବିପ୍ଲବୀ ଆଦିବାସୀ ନେତା ତଥା ମହାନ ଦେଶପ୍ରେମୀ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ବିଭିନ୍ନ ମାମଲାରେ ଛନ୍ଦି ବ୍ରିଟିଶ ସରକାର ତାଙ୍କୁ ୧୯୪୩ ମାର୍ଚ୍ଚ ୨୯ରେ ଏହି ଜେଲରେ ପାଶି ଖୁଣ୍ଟରେ ଝୁଲାଇଥିଲେ। ତେଣୁ ସେ ଶହୀଦ ଆଖ୍ୟା ପାଇଛନ୍ତି ଏବଂ ସବୁ ବର୍ଷ ତାଙ୍କ ଜନ୍ମଦିନ ଏବଂ ଶହୀଦ ଦିବସରେ ଜେଲ ସାମ୍ନାରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ସ୍ମୃତିଚାରଣ ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସରକାରୀ ଭାବେ କରାଯାଉଛି। ଲକ୍ଷ୍ମଣ ନାୟକ ଜେଲର ଯେଉଁ ସେଲରେ ବନ୍ଦୀ ଜୀବନ ବିତାଇଥିଲେ ତାହାକୁ ଜାତୀୟ ସ୍ମୃତିପୀଠ କରାଯାଇଛି।
ସୂଚନାଯୋଗ୍ୟ, ଜେଲ ଭିତରେ ଫାଶୀଖୁଣ୍ଟ ଥିଲେ ମଧ୍ୟ ଝୁଲାଇବା ପାଇଁ ସ୍ଥାୟୀ ଘାତକ ନାହାନ୍ତି । ୧୯୪୩ରୁ ୧୯୯୪ ସୁଦ୍ଧା ମାତ୍ର ୬ ଜଣଙ୍କୁ ଫାଶୀ ଦିଆଯାଇଛି। ୧୯୯୦ ଫେବୃୟାରୀ ମାସରେ ମୟୂରଭଞ୍ଜ ଜିଲାର ଲକ୍ଷ୍ମଣ ନାୟକ ନାମକ ଜଣେ ଅପରାଧୀ ୭ ବର୍ଷର ଶିଶୁ କନ୍ୟାକୁ ଜଙ୍ଗଲରେ ବଳାତ୍କାର କରିବା ପରେ ନୃଶଂସ ଭାବେ ହତ୍ୟା କରିଥିଲା । ଏଭଳି ଜଘନ୍ୟ କାଣ୍ଡର ବିଚାର କରି ଅଦାଲତ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଉପର କୋର୍ଟରେ ତାହା କାଏମ ରହିବାରୁ ୧୯୯୪ ଜୁଲାଇ ୧୬ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଅପରାଧୀଙ୍କୁ ଏଠାର ଜେଲରେ ଫାଶୀ ଦିଆଯାଇଥିଲା । ତା ପରଠାରୁ ଆଉ କେହି ଫାଶୀଖୁଣ୍ଟରେ ଝୁଲି ନାହାନ୍ତି। ଘାତକ ନ ଥିବାରୁ ଆବଶ୍ୟକ ସ୍ଥଳେ ବିହାର ଓ ଗୋଆରୁ ତାଲିମପ୍ରାପ୍ତ ଘାତକଙ୍କୁ ଏଠାକୁ ଅଣାଯାଉଛି ।
ଇତିମଧ୍ୟରେ ରାଜ୍ୟର ଗୁଣପୁର, ଅନୁଗୋଳ ଓ ଅନ୍ୟ ସ୍ଥାନର କେତେକ ନାବାଳିକା ବଳାତ୍କାର, ଗଣହତ୍ୟା ଆଦି ଅଭିଯୋଗରେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଯଦି କାଏମ ରହିବ ତେବେ ସେମାନଙ୍କୁ ବ୍ରହ୍ମପୁର ଜେଲର ଫାଶୀଖୁଣ୍ଟରେ ଝୁଲାଯିବ। ଫାଶୀ ଦେବା ପାଇଁ ବାହାର ପ୍ରଦେଶରୁ ଭଡ଼ାରେ ଘାତକ ଅଣାଯିବ। ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଓ ଗଣ ବଳାତ୍କାର ଘଟଣାର ବିଚାର ପାଇଁ ପୋକ୍‌ସୋ କୋର୍ଟରେ କରାଯାଉଛି । ସଙ୍ଗିନ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉଛି । ଚଳିତ ବର୍ଷ ଏଭଳି ଘଟଣାମାନ ଘଟିଛି। ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଘାତକ ଖୋଜାପଡ଼ୁଛି ।