୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି

ସୁନ୍ଦରଗଡ, ୩।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଭବାନୀଭବନ ପଡିଆଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ହକିର ପ୍ରଚାର ପ୍ରସାର ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ସୁନ୍ଦରଗଡ଼ ଜିଲାରେ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛି। ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସହ ପାରମ୍ପାରିକ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ବିଜେଡିର ନେତୃତ୍ୱାଧୀନ ସରକାର ରାଜନୀତିରେ ନୁହେଁ, ଲୋକଙ୍କ ସେବାରେ ବିଶ୍ୱାସ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ବର୍ତ୍ତମାନ ୧୫ଶହ କୋଟିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରେ ଆଗାମୀ ଦିନରେ ଜିଲାର ଆହୁରି ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲାବାସୀଙ୍କୁ ଉତ୍ତମ ଓ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଖୁବ୍‌ଶୀଘ୍ର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଜିଲା ବିଜୁ ଜନତା ଦଳ ସଭାପତି ବିନୟ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିଶାନ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ରାଜ୍ୟସଭା ଏମ୍‌ପି ଦିଲ୍ଲୀପ ତିର୍କୀ, ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ, ସୁନ୍ଦରଗଡ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।