୧୫ରେ ରୁଚି ଓଡ଼ିଆ ଫିଲ୍ମ ଫେୟାର୍‌ ଆୱାର୍ଡସ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ହ୍ବାଇଟ୍‌ କାନ୍‌ଭାସ୍‌ ଏବଂ ଓଫା ଫାଉଣ୍ଡେଶନ ମିଳିତ ଆନୁକୂଲ୍ୟରେ ରୁଚି ମସଲା ସହଯୋଗରେ ଆସନ୍ତା ୧୫ ତାରିଖରେ ଜନତା ମଇଦାନରେ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ‘ରୁଚି ୧୦ମ ଓଡ଼ିଆ ଫିଲ୍ମ ଫେୟାର୍‌ ଆୱାର୍ଡସ୍‌’ ଆୟୋଜନ ହେବ। ଏହି ଅବସରରେ ଚଳିତବର୍ଷ ଲାଗି ବରିଷ୍ଠ ଅଭିନେତା ଅଜିତ ଦାଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଫାର ଉପଦେଷ୍ଟା ବାପୁ ଲେଙ୍କା ଏ ନେଇ ସୂଚନା ଦେଇଛନ୍ତି। ଚଳିତବର୍ଷ ୨୬ଟି ଭିନ୍ନ ଭିନ୍ନ ବିଭାଗରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଓଫାର ମିଡିଆ ସଂଯୋଜକ ସ୍ବର୍ଗତ ରବି ସ୍ବାଇଁଙ୍କ ସ୍ମୃତିରେ ରବି ସ୍ବାଇଁ ସ୍ମାରକୀ ଶ୍ରେଷ୍ଠ ସାମ୍ବାଦିକ ପୁରସ୍କାର ପ୍ରଦାନ କରାଯିବ। ଏଥର ଉତ୍ସବରେ ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଏବଂ ଜୁନିୟର୍‌ ଅମିତାଭ ବଚ୍ଚନ ଯୋଗଦେବେ ବୋଲି ରୁଚି ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଛନ୍ତି। ଏହାବ୍ୟତୀତ ପ୍ରଥମଥର ପାଇଁ ରୁଚି ପକ୍ଷରୁ ଫିଲ୍ମ ଫେୟାର୍‌ ମଞ୍ଚରେ ଦର୍ଶକମାନଙ୍କ ପାଇଁ ସିଧାସଳଖ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ କର୍କଟ ପୀଡିତ ଶିଶୁଙ୍କ ସହ ‘ମାଲ୍‌ ମହୁ ଜୀବନ ମାଟି’ ଫିଲ୍ମରେ ଅଂଶଗ୍ରହଣ କରିଥିବା ସୁପର୍‌ ୩୦ ଟିମ୍‌ର ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଚଳିତବର୍ଷ ଓଲିଉଡ୍‌ର କଳାକାରମାନଙ୍କ ସହ ହାସ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଓଫାର ନିର୍ଦ୍ଦେଶକ ସୌମ୍ୟଜିତ ପରିଡ଼ା, ଅମୃତ ରଞ୍ଜନ ଦାଶ, ଜ୍ଞାନରଞ୍ଜନ ରାୟ, ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଅଜୟ ନାୟକ, ଉତ୍କଳକେଶରୀ ସିଂହ ପ୍ରମୁଖ ସୂଚନା ଦେଇଥିଲେ।