୧୪,୭୨୫ ଚାଷୀ ବିକିଲେଣି ୯,୮୨,୭୯୦ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୩୦ା୧୧ (ବ୍ୟୁରୋ): ୨୦୧୯-୨୦ ବର୍ଷ ଲାଗି ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି। ଚଳିତ ମାସରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଦ୍ୱାରା ଏଯାବତ୍‌ ୯,୮୨,୭୯୦ କୁଇଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ପ୍ରାଥମିକ କୃଷି ସମବାୟ ସମିତିମାନେ ପି-ପାସ୍‌ ଜରିଆରେ ସିଧାସଳଖ ଧାନ ସଂଗ୍ରହ କରୁଛନ୍ତି। ସମବାୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୭୦୪ ଧାନ ସଂଗ୍ରହ କେନ୍ଦ୍ରରେ ୭୯,୩୨୪ ଜଣ ଚାଷୀଙ୍କଠାରୁ ୫୬,୦୮,୪୭୨ କୁଇଣ୍ଟାଲ ଧାନ କିଣିବା ପାଇଁ ଆଗୁଆ ୧,୦୧,୭୨୬ ଟୋକନ ଦିଆଯାଇଛି। ଏଥି ମଧ୍ୟରୁ ଶୁକ୍ରବାର ସୁଦ୍ଧା ୧୪,୭୨୫ ଜଣ ଚାଷୀଙ୍କଠାରୁ ୯,୮୨,୭୯୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଧାନ ବିକ୍ରି ମୂଲ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ଶୁକ୍ରବାର ସୁଦ୍ଧା ୧୦,୮୪୮ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ୧୨୨ କୋଟି ୩୦ ଲକ୍ଷ ୧୧ ହଜାର ୨୨୬ ଟଙ୍କା ପ୍ରେରଣ କରାଯାଇଛି।