୧୫ ମେଣ୍ଢା ମାରିଲା ଅଜଣା ଜନ୍ତୁ, ୮ ଗୁରୁତର

କର୍ଲାମୁଣ୍ଡା/ମ.ରାମପୁର/କେସିଙ୍ଗା(ଡି.ଏନ.ଏ) ୬।୨: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ଡଙ୍ଗାପଡା ଗାଁରେ ବୁଧବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୧୫ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ମେଣ୍ଢା ଗୁରୁତର ଥିବା ଜଣାପଡିଛି।

ସୂଚନାନୁଯାୟୀ, ଡଙ୍ଗାପଡା ଗାଁର କୈଳାସ ମାଝୀଙ୍କ ଗୁହାଳରେ ଥିବା ୨୫ ମେଣ୍ଢାକୁ ରାତିରେ ଅଜଣା ଜନ୍ତୁ ଆକ୍ରମଣ କରିଥିଲା। ବିଳମ୍ବିତ ରାତିରେ କୈଳାସ ଗୁହାଳକୁ ଯିବା ସମୟରେ ୧୫ ଟି ମେଣ୍ଡା ମରିପଡ଼ିଥିବା ସହ ୮ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ପ୍ରାଣୀବିଭାଗ ଏଲ୍‌ଆଇ ଗଜିନ୍ଦ୍ର ନାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପରୀକ୍ଷା ନିରୀକ୍ଷା କରିବା ସହ ଆହତ ମେଣ୍ଢାମାନଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି। କୌଣସି ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଚାଷୀ ମେଣ୍ଢାଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଲିଖିତ ଭାବେ ଜଣାଇବା ପରେ ବନବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କେସିଙ୍ଗା ବନବିଭାଗ କାଶୁପଦା ରେଞ୍ଜ ଫରେଷ୍ଟର ଯଶୋବନ୍ତ ନାଏକ କହିଛନ୍ତି।