୧୨ ବର୍ଷ ପରେ ନ୍ୟାୟ ପାଇଲେ ଓପିଟିସିଏଲ୍‌ କର୍ମଚାରୀ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଦୀର୍ଘ ୧୨ ବର୍ଷ ତଳେ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଜଣେ ଓପିଟିସିଏଲ୍‌ କର୍ମଚାରୀଙ୍କ ପଦୋନ୍ନତି ହୋଇପାରୁ ନ ଥିଲା। ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନ ଥିଲା। ତା’ ପରେ କର୍ମଚାରୀଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେସ ନଂ୧୬୬/୨୦୦୮କୁ ବିଚାର କରି ହାଇକୋର୍ଟ ଆବେଦନକାରୀ(ଅକ୍ଷୟ ତ୍ରିପାଠୀ)ଙ୍କ ସପକ୍ଷରେ ରାୟ ଦେଇଛନ୍ତି। ରାୟରେ ଅକ୍ଷୟଙ୍କୁ ଆବଶ୍ୟକ ପଦୋନ୍ନତି ସହ ସେହି ଗ୍ରେଡ୍‌ରେ ମିଳିଥିବାକୁ ଥିବା ପାଉଣା ସମେତ ୬ ପ୍ରତିଶତ ସୁଧ ଦେବାକୁ ନିର୍ଦ୍ଦେଶ ରହିଛି। ଏହି ଅର୍ଥକୁ ରାୟର ନକଲ ପାଇବାର ଦେଢ ବର୍ଷ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି। ଅକ୍ଷୟଙ୍କ ପକ୍ଷରୁ ରାଜେନ୍ଦ୍ର କୃଷ୍ଣ ବୋଷ, ଜେ. ନାୟକ ଏବଂ ଏସ୍‌.କେ. ନାୟକ କେସ୍‌ ପରିଚାଳନା କରୁଥିଲେ। ସେହିପରି ଓପିଟିସିଏଲ୍‌ ପକ୍ଷରୁ ବି.କେ. ପଟ୍ଟନାୟକ, ଏସ୍‌.ଏସ୍‌. ପରିଡା ଏବଂ କେ. ମହାନ୍ତି କେସ୍‌ ପରିଚାଳନା କରୁଥିଲେ।