Categories: ଜାତୀୟ

୧୨ ଦେଶରେ ଚିଦାମ୍ବରମ୍‌ଙ୍କ ୧୭ ଆକାଉଣ୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ୧୨ଟି ଦେଶରେ ୧୭ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଶେଲ୍‌ ଓ୍ବେବ୍‌ କମ୍ପାନୀ ଖୋଲି ଚିଦାମ୍ବରମ ଓ ତାଙ୍କ ସହଯୋଗୀମାନେ ଭାରତ ଓ ଭାରତ ବାହାରେ ବ୍ୟାପକ ଅର୍ଥ ହେରଫେର କରିଥିବା ଇଡି ସତ୍ୟପାଠରେ ଦର୍ଶାଇଛି। ଶେଲ୍‌ କମ୍ପାନୀ ଚଳାଇଥିବା ଷଡ଼ଯନ୍ତ୍ରକାରୀ ଏବେ ବି ଚାଦାମ୍ବରମ୍‌ଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ବେଆଇନ ଭାବେ ବିପୁଳ ଟଙ୍କା ଏହି କମ୍ପାନୀରେ ଲଗାଯାଇଛି। ୧୭ଟି ବେନାମୀ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ଏହା ରହିଛି। ଏ ସମ୍ପର୍କରେ ଚିଦାମ୍ବରମ ତଥ୍ୟ ଲୁଚାଉଛନ୍ତି ଓ ସହଯୋଗ କରୁନାହାନ୍ତି ବୋଲି ଇଡି କୋର୍ଟରେ ଦର୍ଶାଇଛି।
ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଚିଦାମ୍ବରମଙ୍କୁ ଆଉ ୪ ଦିନ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ୩୦ ପର୍ଯ୍ୟନ୍ତ ସିବିଆଇ ଚିଦାମ୍ବରମଙ୍କୁ ହାଜତରେ ଜେରା କରିବ। ତେବେ ଚିଦାମ୍ବରମଙ୍କୁ ହାଜତରେ ତାଙ୍କ ପରିବାର ସଦସ୍ୟ ଓ ଓକିଲ ଦିନକୁ ଅଧଘଣ୍ଟା ପାଇଁ ଦେଖା କରିପାରିବେ। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ଗତ ବୁଧବାର ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ପରଦିନ କୋର୍ଟରେ ହାଜର କରିବା ପରେ ୪ ଦିନ ରିମାଣ୍ଡରେ ନେଇଥିଲା ସିବିଆଇ। ସୋମବାର ରିମାଣ୍ଡ ମିଆଦ ପୂରଣ ହେବା ପରେ ତାଙ୍କୁ କୋର୍ଟରେ ହାଜର କରି ତଦନ୍ତକାରୀ ସଂସ୍ଥା ରିମାଣ୍ଡ ଅବଧି ଆଉ ୫ ଦିନ ବଢ଼ାଇବା ପାଇଁ ଅନୁରୋଧ କରିଥିଲା। ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ପରେ ଚିଦାମ୍ବରମ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପିଟିଶନ୍‌ ଖାରଜ ହେବା ପରେ ଚିଦାମ୍ବରମଙ୍କୁ ସିବିଆଇ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତେବେ ଏହି ମାମଲାରେ ଇଡି ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Share