୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ଶୁକ୍ରବାର ଭଉଁରି ଅବସରରେ ପରମ୍ପରା ଅନୁଯାୟୀ, ତିନିରଥର ୬ଟି ଚକରେ ଅଖ ସଂଯୋଗ କରାଯାଇଛି। ଏହି ୬ ଚକ ବାଦ୍‌ ତିନିରଥର ଆଉ ୨ଟି ଲେଖାଏ ଅର୍ଥାତ ମୋଟ ୧୨ଟି ଚକ ତିଆରି ସରିଛି। ସେହିପରି ୨ଟି ଲେଖାଏ ଚକରେ ଅର ଲାଗି ଶେଷ ହୋଇଛି। ଏଥିସହ ତିନିରଥର ପାର୍ଶ୍ୱ ଦେବତାଙ୍କ ବିଜେ ଆସ୍ଥାନ ଜଳଯନ୍ତ୍ର ନନ୍ଦିଘୋଷ ରଥର ୯ଟି, ତାଳଧ୍ୱଜ ରଥର ୯ଟି ଏବଂ ଦର୍ପଦଳନ ରଥର ୪ଟି ସମ୍ପୂର୍ଣ୍ଣ ହୋଇଛି। ସେହିପରି ଚାରି ନାହାକା ଉପରେ ସ୍ଥାପନ ପାଇଁ ଦୁଇଟି ଲେଖାଏ ଓରା ପ୍ରସ୍ତୁତି ସରିଛି। ଏହାବ୍ୟତୀତ ଦୋଳବେଦି କୋଣସ୍ଥିତ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ମଧ୍ୟ କାମରେ ଲାଗିପଡ଼ିିଛନ୍ତି। ତିନିରଥ ପାଇଁ ଅରକଣ୍ଟା ୨୦୦ଟି, ବଳା ୧୨ଟି ଏବଂ ପନ୍ଦାରୀ ୧୫ ଯୋଡ଼ା ପ୍ରସ୍ତୁତ କରିଛନ୍ତି। ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ମହାରଣାମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।