୧୧ ଦିନରେ ପରୀ-୩ ଅଭିଯାନ:୫୧ ଶିଶୁ ଉଦ୍ଧାର

ଭଦ୍ରକ ଅଫିସ, ୯।୮ – ଓଡ଼ିଶା ପୋଲିସ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ପରୀ-୩ ଶୁକ୍ରବାର ୧୧ ଦିନରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମରେ ଜିଲା ପୋଲିସ, ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ଶ୍ରମ ବିଭାଗ, ପାରାଲିଗାଲ କର୍ମୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏଥିସହ ବିପନ୍ନ ଅବସ୍ଥାରେ ଥିବା ଶିଶୁଙ୍କୁ ହୋଟେଲ, ଢାବା, ଗ୍ୟାରେଜ, ଫ୍ଲାଏ ଆସ୍‌ ବ୍ରିକ୍‌, ୱେଲ୍ଡିଂ ଦୋକାନରୁ ଉଦ୍ଧାର କରାଯାଉଛି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପରୀ-୩ ଅଭିଯାନର ନୋଡାଲ ଅଧିକାରୀ ଡିଏସ୍‌ପି ସୁରେଶ ଜେନାଙ୍କ ତତ୍ତ୍ବାବଧାନରେ ୨ଟି ଟିମ୍‌ ଗଠିତ ହୋଇ ଜିଲାସ୍ତରରେ ଅଭିଯାନ ଜାରି ରହିଛି। ଶୁକ୍ରବାର ମଧ୍ୟରେ ଏହି ଅଭିଯାନରେ ଜିଲାରୁ ୫୧ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇ ମାତାପିତା ତଥା ଅଭିଭାବକଙ୍କୁ ଚିହ୍ନଟ କରାଯାଇ ଥଇଥାନ କରାଯାଉଛି। ମାତାପିତା ନ ଥିବା ଶିଶୁଙ୍କୁ କିଶୋର ନ୍ୟାୟ ଆଇନ ଅନୁସାରେ ଥଇଥାନ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ପରୀ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ବାସୁଦେବପୁର ଅଞ୍ଚଳରୁ ୭ ଜଣଙ୍କ ସମେତ ଏଡ଼ତାଳ, ବାରିକଛକରୁ ମୋଟ ୯ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ୨ଟି ଟିମ୍‌ ଥିବାବେଳେ ଇନ୍ସପେକ୍ଟର ଜୀବନମୋହନ ସିଂହ, ପ୍ରୋବେଶନ ଅଧିକାରୀ ସୁବ୍ରତ ଦାସ, ଶ୍ରମ ବିଭାଗରୁ ସୁନନ୍ଦା ବିଶ୍ୱାଳ, ବିକାଶ ରାଉତ, କମଳା ମିଶ୍ର, ରଶ୍ମିତା ସାହୁ ଓ ଅକ୍ଷୟ ସାହୁ ପ୍ରମୁଖ ସାମିଲ ଅଛନ୍ତି।