୧୧ ତାରିଖରୁ ପ୍ରଦାନ କରାଯିବ ଜେଇ ଟିକା

ନୟାଗଡ଼ ଅଫିସ,୯।୧୧: ଆସନ୍ତା ୧୧ ତାରିଖରେ ଜିଲାରେ ପ୍ରଥମ ଥର ପାଇଁ ୧ରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ (ଜେଇ) ଟିକା ପ୍ରଦାନ କରାଯିବ। ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଡା. ଶ୍ୱେତ କୁମାର ମହାପାତ୍ର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଏହି ଜେଇ ଟିକା ପିଲାମାନଙ୍କୁ ଦିଆଯାଉଥିବା ବେଳେ ନୟାଗଡ଼ ଜିଲାରେ ଏହା ପ୍ରଥମ ଥର ପାଇଁ ଦିଆଯିବ। ଏହା ମାଗଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବାରୁ ସମସ୍ତ ଅଭିଭାବକ ସେମାନଙ୍କ ପିଲା ଯେପରି ଏହି ଟିକା ନେବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। ବାହାରେ ଏହି ଟିକା ମିଳୁ ନ ଥିବା ସିଡିଏମଓ ପ୍ରକାଶ କରିଥିଲେ। ଜିଲାରେ ୨ ଲକ୍ଷ ୪ ହଜାର ୨୦୩ ଜଣ ୧ରୁ ୧୫ ବର୍ଷ ପିଲମାନଙ୍କୁ ଏହି ଟିକା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୭୯୪ ଜଣ ସ୍ବାସ୍ଥ୍ୟ କର୍ମୀମାନଙ୍କ ତତ୍ତ୍ୱାବଧାନରେ ୮୮୫ ଜଣ ଆଶାକର୍ମୀ ଓ ୧୫୮୪ ଜଣ ଅଙ୍ଗନୱାଡ଼ି କର୍ମୀ ପିଲାମାନଙ୍କୁ ଏହି ଟିକା ଦେବେ। ଆସନ୍ତା ୧୧ରୁ ଏହା ଆରମ୍ଭ ହୋଇ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସପ୍ତାହରେ କର୍ମୀମାନେ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଟିକା ପ୍ରଦାନ କରିବେ। ପରେ ଯେଉଁ ପିଲାମାନେ ଟିକା ନେବାରୁ ବଞ୍ଚତ୍ତ ହୋଇଥିବେ ସେମାନଙ୍କୁ ଗ୍ରାମରେ ଘରେ ଘରେ ବୁଲି କର୍ମୀମାନେ ଟୀକା ଦେବେ । ଏହି ଟିକା ନେବା ପରେ କୌଣସି ପାର୍ଶ୍ୱ ପତିକ୍ରିୟା ନ ଥିବା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଖବରଦାତା ସମ୍ମିଳନୀରେ କୁଷ୍ଠ ରୋଗ ଅଧିକାରୀ ଡା. ବନମାଳୀ ପ୍ରଧାନ, ସହକାରୀ ଜନସ୍ବାସ୍ଥ୍ୟ ସଞ୍ଚାରଣ ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର ଓ ଗୋପାଳ କୃଷ୍ଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।