୧୧ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରେ ଆଉ ଗ୍ରୀଷ୍ମର ପ୍ରକୋପ ବଢ଼ିବ ନାହିଁ। ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ରହିବ। ଉପକୂଳରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଏବଂ ଆଭ୍ୟରୀଣ ଓଡ଼ିଶାରେ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଆସନ୍ତା ୩ତାରିଖ ଯାଏ ତାତି ବଢ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ବିଭିନ୍ନ ଜିଲାରେ ଝଡ଼ବର୍ଷା ଲାଗି ରହିବ। ତାମିଲନାଡ଼ୁ ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବାୟୁ ପ୍ରବାହର ଦିଗ ଦକ୍ଷିଣ ପଶ୍ଚିମକୁ ରହୁଛି। ଏଥି ସହିତ ଓଡ଼ିଶା ଉପରିଭାଗରେ ଏକ ବାୟୁ ପ୍ରବାହ ହେଉଛି। ରାଜ୍ୟକୁ ପ୍ରଚୁର ଜଳୀୟ ବାଷ୍ପ ଆସୁଛି ଓ ବର୍ଷା କରାଉଛି। ବର୍ଷା ଯୋଗୁ ଗ୍ରୀଷ୍ମର ପ୍ରକୋପ ହ୍ରାସ ପାଇଛି। ଗତ ଦୁଇ ତିନିଦିନ ହେବ ଝଡ଼ବର୍ଷା ଲାଗି ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲାର ବାରକୋଟଠାରେ ସବର୍ର୍ାଧିକ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଅନୁଗୋଳର ଛେଣ୍ଡିପଦାରେ ୮, ପାଲଲହଡ଼ା ୮, ରାଇରଙ୍ଗପୁର ୭, ରିଆମାଳ ୭, ବିଷମ କଟକ ୭, କୋରେଇ ୫, ତିର୍ତ୍ତୋଲରେ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡା ରାଜ୍ୟର ଅନ୍ୟାନ୍ୟ ଭାଗରେ ୩ରୁ ୪ ସେଣ୍ଟିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ପୁରୀ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ଏସବୁ ସ୍ଥାନଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ଏଲୋୱାର୍ନିିଂ ଜାରି କରାଯାଇଛି।