୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଯୁବକଙ୍କ ଜୀବନ ଗଲା

ଗୁଡ଼ଭେଲା,୧୭।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ମଧ୍ୟମ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ତୁଷୁରା ସହରସ୍ଥିତ ସୋନଗଡ଼ ନଦୀରେ ଜଳସ୍ତର ମାପୁ ଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆଗଲପୁର ବ୍ଳକ ଅଧୀନ ଗୁଡୁରୁମୁଣ୍ଡା ଗ୍ରାମର ଧୀରେନ ସାହୁ (୨୮)।
ମିଳିଥିବା ସୂଚନା ମୁତାବକ, ଉପର ମୁଣ୍ଡରେ ହୋଇଥିବା ବର୍ଷା ପରିମାଣ ଆକଳନ କରିବା ପାଇଁ ଅତିରିକ୍ତ ଯନ୍ତ୍ରୀ ଖଗେଶ୍ୱର ରାଉତଙ୍କ ଉପସ୍ଥିତିରେ ବୁଧବାର ପୂର୍ବାହ୍ନ ୧୦ଟାରେ ତୁଷୁରା ସହରସ୍ଥିତ ସୋନଗଡ଼ ନଦୀରେ କେତେଜଣ ଯୁବକ କାର୍ଯ୍ୟ କରୁଥିଲେ। ସେତିକିବେଳେ ଧୀରେନ ଏକ ୨୦ଫୁଟ ଲମ୍ବର ଲୁହା ରଡରେ ନଦୀର ଜଳସ୍ତର ମାପୁଥିଲେ। ହେଲେ ଲୁହା ରଡଟି ପାଖରେ ଥିବା ୧୧କେଭି ବିଦ୍ୟୁତ୍‌ ତାର ସଂପର୍ଶରେ ଆସିଯାଇଥିଲା। ଫଳରେ କରେଣ୍ଟ ଲାଗି ଧୀରେନ ଅଚେତ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅପରାହ୍ନ ପ୍ରାୟ ୧ଟାରେ ଡାକ୍ତର ଧୀରେନକୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୁଷୁରା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ହେଲେ ସନ୍ଧ୍ୟା ସାଢେ ୬ଟାରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ତୁଷୁରା ଡାକ୍ତରଖାନା ଚିକିତ୍ସା ଅଧିକାରୀ ରଞ୍ଜିତ ରାଉତଙ୍କୁ ପଚାରିବାରୁ ସେ କହିଥିଲେ ଯେ, କିଛି ଘଟଣାରେ ମୃତଦେହ ସନ୍ଧ୍ୟା ପରେ ମଧ୍ୟ ବ୍ୟବଚ୍ଛେଦ କରାଯାଇଥାଏ। ଅନ୍ୟପକ୍ଷେ ଧୀରେନଙ୍କ ସ୍ତ୍ରୀ ଓ ୩ ବର୍ଷର ଶିଶୁ କନ୍ୟା ଅଛନ୍ତି। ଏନେଇ ତୁରନ୍ତ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୁରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।