୧୧୬୫ ମୂଲ୍ୟବାନ ଗଛକଟାରେ ସୀମିତ ରାସ୍ତା ନିର୍ମାଣ

ସୋନପୁର,୧୩।୨(ନି.ପ୍ର.) – ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲାର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ନିର୍ଦ୍ଧାରିତ ସମୟରେ କୌଣସି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି। ବର୍ଷ ବର୍ଷ ଧରି ପ୍ରକଳ୍ପଗୁଡିକ ଅଧାପନ୍ତରିଆ ଅବସ୍ଥାରେ ପଡି ରହୁଛି। କେଉଁଠି ଜମି ଅଧିଗ୍ରହଣ ହେଉନି ତ ଆଉ କେଉଁଠି ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦରେ ଅହେତୁକ ବିଳମ୍ବ। କେଉଁଠି ଠିକାଦାରଙ୍କ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି। କିନ୍ତୁ ଏ ସବୁର ଆଦୌ ସମୀକ୍ଷା ହେଉନି। ଓଲଟି ଜବରଦଖଲକାରୀଙ୍କୁ ଉଚ୍ଛେଦ ନ କରିବା ପାଇଁ ପରୋକ୍ଷ ନିର୍ଦ୍ଦେଶ ଆସୁଛି । ଜିଲା ସଦର ମହକୁମାର ମହାନଦୀ ବ୍ରିଜ୍‌ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି କାମ ପାଇଁ ୨୦୧୯ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨୦୧୯ ଅଗଷ୍ଟ ୧୨ ତାରିଖରେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତ ବିଭାଗ ସହିତ ଟେଣ୍ଡର ପାଇଥିବା ସୁପର କ୍ଲାସ କଣ୍ଟ୍ରାକ୍ଟର ନନ୍ଦୁଲାଲ ପୁରୋହିତଙ୍କର ଚୁକ୍ତିନାମା ହୋଇଛି। ଡିଭାଇଡର ଓ ଉଭୟ ପାର୍ଶ୍ୱରେ ଡ୍ରେନ ସହିତ ୨୦ମିଟର ଓସାରର ୩.୨୬୦କି.ମି. ଲମ୍ବା ୪ ଥାକିଆ ରାସ୍ତା ନିର୍ମାଣ ପାଇଁ ୬କୋଟି ୭୯ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଜମି କ୍ଲିୟରାନ୍ସ ନଥିବାରୁ ଠିକାଦାର କାମ କରି ପାରୁନାହାନ୍ତି । ବେସରକାରୀ, ସରକାରୀ ଓ ଦୋବୋତ୍ତର ଜମି ଅଧିଗ୍ରହଣ ହୋଇପାରୁନି। କେତେକ ସରକାରୀ ଜମି ଜବରଦଖଲରେ ରହିଛି। କୁଞ୍ଜ ଛକ, ପଟାଭାଡି ଛକ, ବ୍ଲକ ଛକ ଓ ବୁଢାରାଜା ଛକରେ ରାସ୍ତା ଅଧିକ ଚଉଡା ହେବାକୁ ଥିବା ବେଳେ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଛଘୁଞ୍ଚା ଦେଉଛି। ବିଦ୍ୟୁତ୍‌ ଖୁଣ୍ଟ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟଗୁଡିକ ସ୍ଥାନାନ୍ତର କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । ରାସ୍ତା ପ୍ରଶସ୍ତିକରଣ ନାଁରେ ରୟାଲ ପଡିଆକୁ ସଙ୍କୁଚିତ ପାଇଁ ରୀତିମତ ଷଡଯନ୍ତ୍ର ଚାଲିଛି। ହେଲେ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ୧୧୬୫ଟି ମୂଲ୍ୟବାନ ଗଛକୁ ପ୍ରଶାସନ ଖୁବ୍‌ ସହଜରେ କାଟି ଦେଇ ପାରିଲା । କିନ୍ତୁ ଅସଲ କାମ ଜବରଦଖଲ ଉଚ୍ଛେଦ ବେଳକୁ ରାଜସ୍ବ ଓ ପୌର ପରିଷଦ ଭିତରେ ଟଣାଓଟରା ଚାଲିଥିବା ଦେଖିବାକୁ ମିଳୁଛି। ରାସ୍ତା ନିର୍ମାଣ ଏଭଳି ଭାବେ ଲାଗି ରହିଲେ ଏହା ସମ୍ପୂର୍ଣ୍ଣ ପାଇଁ କେତେ ବର୍ଷ ଲାଗିବ ସହରର ବୁଦ୍ଧିଜୀବୀ ଅନୁମାନ ଲଗାଇ ପାରୁନାହାନ୍ତି।