Categories: ଜାତୀୟ

୧୦ ସଂସ୍ଥାକୁ ଦିଆଯାଇଛି ଫୋନ୍‌ ଟ୍ୟାପିଙ୍ଗ୍‌ ଅନୁମତି

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଭଳି ୧୦ଟି ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫୋନ୍‌ ଟ୍ୟାପିଙ୍ଗ୍‌ ପାଇଁ ଅନୁମତି ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ସର୍ଭିଲାନ୍ସରେ ରଖିବା ପୂର୍ବରୁ ସେହି ସଂସ୍ଥାଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ନେବା ଜରୁରୀ ବୋଲି ମଙ୍ଗଳବାର ଲୋକ ସଭାରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ହ୍ବାଟ୍ସଆପ୍‌ କଲ୍‌ ଓ ମେସେଜ୍‌ ଟ୍ୟାପିଙ୍ଗ୍‌ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି, କୌଣସି କମ୍ପ୍ୟୁଟରରେ ସୂଚନା ପ୍ରସ୍ତୁତ, ପ୍ରେରଣ, ଗ୍ରହଣ ବା ସଂରକ୍ଷଣ କରାଯାଇଥିଲେ ତାକୁ ଆୟତ୍ତ, ଅନୁଧ୍ୟାନ କିମ୍ବା ବିଗୂଢ଼ କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି। ସରକାର ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସ୍‌, ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ, ରିସର୍ଚ୍ଚ ଆଣ୍ଡ ଅନାଲିସିସ୍‌ ଓ୍ବିଙ୍ଗ୍‌ ‘ର’, ଡାଇରେକ୍ଟୋରେଟ୍‌ ଅଫ୍‌ ସିଗ୍ନାଲ ଇଣ୍ଟେଲିଜେନ୍ସ ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

Share