୧୦ ଲକ୍ଷ ଟଙ୍କାର ଫସଲ ନଷ୍ଟ କଲେ ହାତୀପଲ

ଶେରଗଡ଼,୧୦।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୁଷୁଣ୍ଡା ଗ୍ରାମ ନିକଟ ପାକିଡି ପାହାଡ଼ରେ ହାତୀପଲ ୫୦୦ ଭରଣ ଜମିରେ ଲାଗିଥିବା ପନିପରିବା ଫସଲ ନଷ୍ଟ କରିଦେଇଛନ୍ତି। ସୋମବାର ଭୋର ପ୍ରାୟ ୪ଟାରେ ୧୪ଟି ହାତୀ ଜଙ୍ଗଲ ଆଡକୁ ମୁହାଁଇ ଥିଲେ। ଫଳରେ ଆଖପାଖ ୨୦ଖଣ୍ଡ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। କେତେବେଳେ ହାତୀପଲ ଗାଁରେ ପଶିଯିବେ ଏହି ଭୟରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସମ୍ପୃକ୍ତ ଗ୍ରାମର ପ୍ରାୟ ୨୦ ଜଣଙ୍କ ଜମିରେ ଲାଗିଥିବା ଟମାଟୋ, ବାଇଗଣ, ଭେଣ୍ଡି, ବିନ, ଆଖୁ, ମୁଗ, କୋବି, କଖାରୁ ନଷ୍ଟ କରିଛନ୍ତି ହାତୀପଲ। ଆନୁମାନିକ ୧୦ଲକ୍ଷ ଟଙ୍କାର ପନିପରିବା ଫସଲ ନଷ୍ଟ କରିଛନ୍ତି ବୋଲି ଚାଷୀ କୃଷ୍ଣଚନ୍ଦ୍ର ନାୟକ, ସନ୍ୟାସୀ ସ୍ବାଇଁ, ଭଜରାମ ସ୍ବାଇଁ, ପ୍ରଫୁଲ୍ଲ ନାୟକ ଅଭିଯୋଗ କରିଛନ୍ତି। ବନବିଭାଗ ପକ୍ଷରୁ ଫରେଷ୍ଟର ଶୁଭଶ୍ରୀ ସତପଥୀ ନେତୃତ୍ୱରେ ଏକ ଟିମ ଅନୁଧ୍ୟାନ କରି ଫେରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।