Categories: ଖେଳ

୧୦ ମିନିଟ୍‌ରେ ବିକ୍ରି ହେଲା ଫେଡରର-ନାଡାଲଙ୍କ ସମସ୍ତ ମ୍ୟାଚ୍‌ ଟିକେଟ

ଜୋହାନ୍ସବର୍ଗ,୫।୯(ଏଏଫ୍‌ପି)- ଟେନିସ ଇତିହାସର ଦୁଇ କିମ୍ବଦନ୍ତୀ ରୋଜର ଫେଡରର ଓ ରାଫାଲ ନାଡାଲଙ୍କ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିଶ୍ୱର ଟେନିସ ପ୍ରଶଂସକମାନେ ସର୍ବଦା ଅପେକ୍ଷା କରି ରହିଥାନ୍ତି। ଏହି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଆଗାମୀ ଫେବୃୟାରୀ ୭ତାରିଖରେ ହେବାକୁ ଥିବା ପ୍ରଦର୍ଶନୀ ମ୍ୟାଚ୍‌ର ସମସ୍ତ ଟିକେଟ ମାତ୍ର ୧୦ ମିନିଟ୍‌ ମଧ୍ୟରେ ବିକ୍ରି ହୋଇଯାଇଛି। ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାର କେପ ଟାଉନ ଷ୍ଟାଡିୟମଠାରେ ଖେଳାଯିବ। ସେଠାରେ ୨୦୧୦ ଫିଫା ବିଶ୍ୱକପ୍‌ ଖେଳାଯାଇଥିଲା। ସେହିବର୍ଷ ବ୍ରୁସେଲ୍ସଠାରେ ସେରେନା ଓ୍ବିଲିୟମ୍ସ ଓ କିମ ସିଜେଷ୍ଟରଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌କୁ ଷ୍ଟାଡିୟମ୍‌ରେ ସର୍ବାଧିକ ୩୫,୬୮୧ ଦର୍ଶକ ଉପଭୋଗ କରିଥିଲେ। ଏହି ରେକର୍ଡକୁ ଫେଡରର-ରାଫାଲଙ୍କ ମ୍ୟାଚ୍‌ ଭଙ୍ଗ କରିବା ନିଶ୍ଚିତ। ମାତ୍ର ୧୦ ମିନିଟ୍‌ ମଧ୍ୟରେ ୪୮ ହଜାର ଟିକେଟ୍‌ ବିକ୍ରି ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ୧୦ ମିନିଟ୍‌ରୁ କମ୍‌ ସମୟରେ ଟିକେଟ୍‌ ବିକ୍ରି ହୋଇଯାଇଛି। ଟେନିସ ପ୍ରେମୀଙ୍କ ପ୍ରତିକ୍ରିୟା ଦେଖି ଆମେ ଉତ୍ସାହିତ। ଏଭଳି ସମର୍ଥନ ପାଇଁ ଆମେ କୃତଜ୍ଞତା ଜଣାଉଛୁ ବୋଲି ରୋଜର ଫେଡରର ଫାଉଣ୍ଡେଶନର କାର୍ଯ୍ୟକାରୀ ମୁଖ୍ୟ ଜାନିନେ ହାଣ୍ଡେଲ କହିଛନ୍ତି। ଭାରତୀୟ ମୂଦ୍ରାରେ ଟିକେଟ୍‌ର ମୂଲ୍ୟ ୭୩୦ ଟଙ୍କାରୁ ଆରମ୍ଭ କରି ୯,୪୯୧ ଟଙ୍କା ପର୍ଯ୍ୟନ୍ତ। ଉଲ୍ଲେଖଥାଉ କି, ସ୍ପାନିଶ ଷ୍ଟାର ନାଡାଲ ବିଶ୍ୱ ର଼୍ୟାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବାବେଳେ ସୁଇଜରଲାଣ୍ଡର ଫେଡରର ୩ୟ ଓ ସର୍ବିୟାନ ନୋଭାକ ଜୋକୋଭିଚ୍‌ ପ୍ରଥମ ସ୍ଥାନରେ ରହିଛନ୍ତି।

Share