Categories: ଜାତୀୟ

୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ୭୫ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିପାରିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଭାରତରେ ୨ରୁ ୧୩ ସେପ୍ଟମ୍ବର ପର୍ଯ୍ୟନ୍ତ ଜାତିସଂଘ ସିସିଡି କପ୍‌-୧୪ ସମ୍ମିଳନୀ ହେବ। ଏହି ସମ୍ମିଳନୀରେ ୨ଶହ ଦେଶ ଯୋଗଦେବେ। ସମ୍ମିଳନୀରେ ଶହେଟି ଦେଶର ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ୩ ହଜାର ପ୍ରତିନିଧି ଯୋଗଦେବେ। ଏଥିରେ ପଡ଼ିଆ ଜମିକୁ କିଭଳି ଚାଷ ଉପଯୋଗ୍ୟ କରାଯାଇ ପାରିବ ସେ ନେଇ ଆଲୋଚନା ହେବ। ଦେଶର ୧.୬୯ କୋଟି ହେକ୍ଟର ପଡ଼ିଆ ଜମି ରହିିଛି। ଏହାକୁ ଚାଷ ଯୋଗ୍ୟ କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଭାରତ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଜାତିସଂଘ ସିସିଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବ।

Share