୧୦ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ

ଖଇରା, ୨୯।୪(ଡି.ଏନ.ଏ.)-କରୋନାର ସଫଳ ମୁକାବିଲା ପାଇଁ ଓଡିଶା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ବ୍ଲକର ବିଭିନ୍ନ ବଜାର ସମେତ ଅଫିସକୁ ବିଶୋଧନ କରାଯାଇଛି। ଏହାସହ ୪୦ହଜାର ଲୋକଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟ ହାତକୁ ନିଆଯାଇଛି। ପୁନଶ୍ଚ ନିକଟରେ ଖଇରା ବ୍ଲକର ୩୭ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ପାଇଁ ବିଧାୟକ ତାଙ୍କ ହାତପାଣ୍ଠିରୁ ପ୍ରତ୍ୟେକ ପଞ୍ଚାୟତକୁ ୧ଲକ୍ଷ ୨୦ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ମଙ୍ଗଳବାର ୧୦ଟି ପଞ୍ଚାୟତରେ ପ୍ରାଥମିକ କାର୍ଯ୍ୟ ଅର୍ଥାତ ଘର ଲେଆଉଟ ପ୍ରଦାନ କରାଯାଇଛି ା ପ୍ରଥମେ ମନ୍ତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ କୁରୁଣ୍ଟା ପଞ୍ଚାୟତରେ ଯନ୍ତ୍ରୀମାନେ ଘର ଲେ-ଆଉଟ ପ୍ରଦାନ କରିଥିଲେ। ଖଇରା ବ୍ଲକର ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ, କୁରୁଣ୍ଟା ପଞ୍ଚାୟତର ଯୁବନେତା ମାନସ ଦାଶ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ରବୀନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଜଳଦା, ମାଖନପୁର, ଗଗନଧୂଳି, ନନ୍ଦୁର, ଡଗରପଡା, ଅଚ୍ୟୁତପୁର, ଡାଲଙ୍ଗ, ଗୋବିନ୍ଦପୁର ଶେଷରେ ସାରୁଗାଁ ପଞ୍ଚାୟତ ଗସ୍ତ କରି ଲେଆଉଟ କାର୍ଯ୍ୟର ତଦାରଖ କରିଥିଲେ। ଏହି ଶୌଚାଳୟ କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିବାକୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସାରୁଗାଁରେ ଅସହାୟ ଲୋକଙ୍କୁ ପରିବା ଓ ମାସ୍କ କିଟ୍‌ ବଣ୍ଟନ କରାଯାଇଛି। ପୂର୍ବତନ ସରପଞ୍ଚ ଅନାଦି ଧର, ଯୁବନେତା ଗୌତମ ରାଉତ, ନରେନ୍ଦ୍ରନାଥ ଧର, ଲକ୍ଷ୍ମୀକାନ୍ତ ଦାସ, କମଳାକାନ୍ତ ନାୟକ, ଭାଗିରଥି ଲେଙ୍କା, ସୁବାସ ସାମଲ, ନିତ୍ୟାନନ୍ଦ ଲେଙ୍କା ପ୍ରମୁଖ କିଟ୍‌ ବଣ୍ଟନରେ ସହଯୋଗ କରିଥିଲେ।