Categories: ମେଟ୍ରୋ

୧୦ ଜିଲାରେ ହେବ ବିଜ୍ଞାନ ପାର୍କ: ବାୟୋ ଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ୪ ସଂସ୍ଥାର ପ୍ରସ୍ତାବ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ୧୦ ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଜିଲାରେ ହେବ। ପିଲାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଉତ୍ସାହିତ କରିବା ସକାଶେ ଏହି ପାର୍କ ସହାୟତା କରିବ। ଏଥିସହିତ ଭୁବନେଶ୍ୱରରେ ଥିବା ପଠାଣିସାମସ୍ତ ପ୍ଲାନେଟାରିୟମ୍‌ରେ ୨ଟି ନୂଆ ବିଭାଗ ଖୋଲାଯିବ। ଶନିବାର ପ୍ରଶ୍ନୋତ୍ତରବେଳେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଅଶ୍ୱିନୀ କୁମାର ପାତ୍ର ରାଜ୍ୟରେ କେତୋଟି ଏବଂ କେଉଁଠି କି ପ୍ରକାର ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି, ଏହାର ଭବିଷ୍ୟତ ଯୋଜନା କ’ଣ ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ବିଜ୍ଞାନ ଓ ବୈଷୟିକ ବିଭାଗ ଅଧୀନରେ ଅନ୍ଧାରୁଆଠାରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଶହୀଦନଗରରେ ଓଡ଼ିଶା ବିଜ୍ଞାନ ଏକାଡେମୀ, ଜୟଦେବ ବିହାରରେ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ଓ ପଠାଣିସାମନ୍ତ ପ୍ଲାନେଟାରିୟମ୍‌, ମଞ୍ଚେଶ୍ୱରଠାରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା, ଜୟଦେବ ବିହାରଠାରେ ବାସ୍ତୁ ଉଦ୍ୟାନ ପ୍ରତିଷ୍ଠା କାର୍ଯ୍ୟକାରୀ ହେଉଛି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବିଜ୍ଞାନର ମାନ ବଢ଼ାଇବା ପାଇଁ କାର୍ଯ୍ୟ କରୁଥିବା ବେଳେ ପଠାଣିସାମନ୍ତ ପ୍ଲାନେଟାରିୟମ୍‌ ଅଣୁଶକ୍ତି ବିଜ୍ଞାନଭିତ୍ତିକ କାର୍ଯ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରୁଛି। ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡ଼ାଇ, ଅମର ଶତପଥୀ ପ୍ରମୁଖ ବାୟୋ ଟେକ୍ନୋଲୋଜିର ବିକାଶ ପାଇଁ ରାଜ୍ୟରେ କି ବ୍ୟବସ୍ଥା କରାଯାଇଛି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ବାୟୋ ଟେକ୍ନୋଲୋଜିର ବିକାଶ ପାଇଁ ୨୦୧୬ରେ ଏକ ପଲିସି କରାଯାଇଥିଲା। ୨୦୧୮ରେ ଏହାକୁ ନବୀକରଣ କରାଯାଇଛି। ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ନିକଟରେ ଶେଷ ହୋଇଥିବା ଇନ୍‌ଭେଷ୍ଟର ମିଟ୍‌ରେ ୪ଟି ସଂସ୍ଥା ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କୁ ଭିତ୍ତିଭୂମି ଯୋଗାଇଦେବା ସକାଶେ ୨.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିସହିତ ବାୟୋ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବା ସକାଶେ ୨ ବର୍ଷ ପାଇଁ ୨ ହଜାର ଟଙ୍କା ଲେଖାଏ ଛାତ୍ର ବୃତ୍ତି ଦିଆଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ୧୨ ଓ ୧୪ ହଜାର ଟଙ୍କା ଦିଆଯାଇଛି। ଏହି କ୍ଷେତ୍ରରେ ଗବେଷଣା ପାଇଁ ୩ ବର୍ଷ ସକାଶେ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।