୧୦ ଗୁଜବକାରୀ ଗିରଫ

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଗୁଜବ କରୁଛନ୍ତି। ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଆତଙ୍କିତ କରୁଛନ୍ତି। ତେଣୁ ଏଭଳି ଗୁଜବକାରୀଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟର ବିଭିନ୍ନ ଜିଲାରୁ ୧୦ ଜଣଙ୍କୁ ପୋଲିସ ଗିରଫ କଲାଣି। ହେଲେ ଏହି ଗୁଜବ କମିବାର ନଁା ଧରୁନି। ଏହା ଉପରେ ରୋକ ଲଗାଇବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସବୁ ଜିଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ବିଶେଷ କରି ସୋସିଆଲ ମିଡିଆ ଉପରେ ନଜର ରଖାଯାଉଛି। ଯଦି କେହି କିଛି ଭୁଲ କିମ୍ବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲା ଭଳି ପୋଷ୍ଟ କରନ୍ତି ତେବେ ତାଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଲକ୍‌ଡାଉନ୍‌ ସମୟରେ ଗୁଜବ ବଢିବାର ଆଶଙ୍କା କ୍ରାଇମ୍‌ବ୍ରାଞ୍ଚ କରୁଛି । ତେଣୁ ସବୁ ଜିଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁଜବକାରୀଙ୍କ ଉପରେ ନଜର ରଖୁଛନ୍ତି। ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ। ସବୁଠୁ ବଡ କଥା ହେଲା କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲଫ୍ରି ନମ୍ବରକୁ ଆସୁଥିବା ଫୋନ୍‌ କଲ ଉପରେ ମଧ୍ୟ ନଜର ରଖାଯାଇଛି। ବିଶେଷ କରି ଯେଉଁମାନଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି ସେମାନେ ହୋମ୍‌ ଆଇସୋଲେଶନରେ ରହିବେ। ହେଲେ ମିଥ୍ୟାରେ ଯେଉଁମାନେ ଫୋନ୍‌ କରି ଅଯଥା ହଇରାଣ କରୁଛନ୍ତି ସେମାନଙ୍କ ଉପରେ ନଜର ରଖଯାଇଛି। ଏପରି କି ଆସୁଥିବା ଫୋନ୍‌ କଲଗୁଡିକୁ ପରେ ଫଲୋଅପ୍‌ ନିଆଯାଇଛି। ଯେଉଁମାନେ ନିଜର ସ୍ବାସ୍ଥ୍ୟ ନେଇ ମିଥ୍ୟା ତଥ୍ୟ ଦେଉଛନ୍ତି ସେମାନଙ୍କ ଫୋନ୍‌ ଲୋକେଶନ୍‌ରୁ ତାହା ଧରାଯାଉଛି ବୋଲି ସୌମେନ୍ଦ୍ର କହିଛନ୍ତି।