୧୦୫ ଟଙ୍କା ପେଟ୍ରୋଲ ପାଇଁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ରାଜଧାନୀରେ କଥା କଥାକେ ଗର୍ଜୁଛି ଚୋରା ବନ୍ଧୁକ। ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି। ସୋମବାର ରାତିରେ ଏଭଳି ଏକ ଘଟଣା ଘଟିଛି ସୁନ୍ଦରପଦା ରୋଡରେ ଥିବା ଅନିଲ ପାଇକରାୟଙ୍କ ପେଟ୍ରୋଲ ପମ୍ପରେ। ୩ଜଣ ଯୁବକ ବାଇକରେ ଆସି ୧୦୫ଟଙ୍କାର ପେଟ୍ରୋଲ ପକାଇଥିଲେ। କିନ୍ତୁ ଟଙ୍କା ଦେବା ବଦଳରେ ଦେଖାଇଥିଲେ ବନ୍ଧୁକ। ଏହି ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି।
ସୂଚନା ମୁତାବକ ହୋଲିରେ ପମ୍ପ ବନ୍ଦ ରହୁଥିବାରୁ ଗ୍ରାହକମାନଙ୍କ ପାଇଁ ପୂର୍ବ ରାତି ଅର୍ଥାତ୍‌ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାହା ଖୋଲା ଥିଲା। ରାତି ପ୍ରାୟ ସାଢେ ୧୧ଟା ବେଳକୁ ଅଭିଯୁକ୍ତମାନେ ଆସି ବାଇକ୍‌ରେ ପେଟ୍ରୋଲ ପକାଇଥିଲେ। ଟଙ୍କା ଦେବା ପରିବର୍ତ୍ତେ ସେମାନେ ଏଟିଏମ୍‌ କାର୍ଡ ଦେଇଥିଲେ। ବିଳମ୍ବିତ ରାତିରେ କାର୍ଡ ପେମେଣ୍ଟ ହୋଇପାରିବ ନାହିଁ ବୋଲି ପମ୍ପ କର୍ମଚାରୀ କହିଥିଲେ। ଫଳରେ ବାଇକ୍‌ ମଝିରେ ବସିଥିବା ଜଣେ ଯୁବକ ହଠାତ୍‌ ଅଣ୍ଟାରୁ ଏକ ପିସ୍ତଲ କାଢ଼ି ଦେଖାଇଥିଲେ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। ଏ ନେଇ ପେଟ୍ରୋଲ ପମ୍ପ ମାଲିକଙ୍କ ସମ୍ପର୍କୀୟ ସୁନୀଲ ପାଇକରାୟ ବୁଧବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୮/୨୦ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଏୟାରଫିଲ୍ଡ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରାଯାଉଛି। ଜଟଣୀର କେତେଜଣ ଯୁବକ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, କିଛିଦିନ ତଳେ ଭାଲେଣ୍ଟାଇନ୍ସ ସପ୍ତାହରେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଥିବାବେଳେ ଗତ ବୁଧବାର ଜଣେ ମ୍ୟାନେଜମେଣ୍ଟ ଛାତ୍ର ଅସୀମ କାଲସୀଙ୍କୁ କାଟେଣୀ ଛକସ୍ଥିତ ଜଙ୍ଗଲ ଭ୍ୟୁ ଢାବାରେ ଗୁଳିମାଡ଼ ହୋଇଥିଲା। ସେ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ। ଏହି ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କ ସମ୍ପର୍କରେ କୌଣସି ଟେର ପାଇପାରିନାହିଁ କମିଶନରେଟ ପୋଲିସ।