୧୦୪ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ: ଅନୁଧ୍ୟାନ କଲେ ଓସଡମା ସିଜିଏମ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.)- ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ବୁଧବାର ଗଞ୍ଜାମ ଜିଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ବିପର୍ଯ୍ୟୟ ବେଳେ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରଯାଇଥିଲା। ବାତ୍ୟା ଆସୁଛି କହି ଗାଁରୁ ଲୋକଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରଯାଇଥିଲା। ପରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନେବା କଥା, ପ୍ରଶାସନର ସୂଚନାକୁ ସମ୍ମାନ ଦେବା, ସୁରକ୍ଷିତ ସ୍ଥାନକୁ ନିଜେ ଓ ଅନ୍ୟମାନଙ୍କୁ ଆଣିବା ଆଦି ନେଇ ପରାମର୍ଶ ଦିଆଯାଇଥିଲା। ୨ ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ବିଡ଼ିଓ, ତହସିଲଦାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମନିଟରିଂ କରିଥିଲେ। ଚିକିଟି ବ୍ଲକ ଅଧୀନ ପାତିସୋନପୁର ଓ ଗଞ୍ଜାମ ବ୍ଲକ ଶତୃସଲ ଗାଁର ବାତ୍ୟା ଆଶ୍ରୟ ସ୍ଥଳୀରେ ମକ୍‌ଡ୍ରିଲ ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଓସ୍‌ଡମା ମୁଖ୍ୟ ଜେନେରାଲ ମ୍ୟାନେଜର ଡ. ପ୍ରଦୀପ କୁମାର ନାୟକ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠି ଯୋଗ ଦେଇଥିଲେ। ବିପର୍ଯ୍ୟୟ ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ ଅଛୁ ସେସମ୍ପର୍କରେ ଜାଣିବା ଏହି ମକ୍‌ଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିଲା। ସେହିପରି ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ସଚେତନ ହେଲେ ହିଁ ବିପର୍ଯ୍ୟୟର ମୁକାବିଲା କରିହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ସମିତିସଭ୍ୟା ବାସନ୍ତୀ ଯାନୀ, ପଞ୍ଚାୟତ ର୍ନିବାହୀ ଅଧିକାରୀ ତପସ୍ବିନୀ କହଁର, ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ବିପିଏମ ମାନିନୀ ଜେନା, ଆଶ୍ରୟସ୍ଥଳୀ କମିଟି ସମ୍ପାଦକ ଅଶୋକ ପଲେଇଙ୍କ ସମେତ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ମହିଳା ସଙ୍ଘ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ମକ୍‌ଡ୍ରିଲକୁ ଜିଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଡିପିଓ ପ୍ରଭୂପ୍ରସାଦ ମହାରଣା ସଂଯୋଜନା କରିଥିଲେ।