୧୦୦ କୋଟି ତ ପଛ କଥା, ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି: ମହାରଥୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ଅଭିଯୋଗ କରିବାକୁ ନେଇ ମନ୍ତ୍ରୀ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି, ୧୦୦ କୋଟି ତ ପଛ କଥା ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି। ଏପରିକି ପ୍ରମାଣ ଦେଲେ ଆଉ ବିଧାନସଭା ଆସିବି ନାହିଁ ବୋଲି ବିଧାୟକ ମହାରଥୀ କହିଛନ୍ତି।

ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀ କରାଯାଇ ପ୍ରଦୀପଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଥିଲା। ସେ ନିଜ ଫାର୍ମହାଉସ୍‌ରେ ସରକାରୀ ଜମିକୁ ମିଶାଇ ଭୋଗ ଦଖଲ କରୁଛନ୍ତି। ଏନେଇ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମାମଲା ନଂ ୭୬୭୧/୧୫ ଓଡ଼ିଶା ହାଇକୋର୍ଟରେ ମାମଲା କରିଥିଲେ। ମାନ୍ୟବର ହାଇକୋର୍ଟ ଦରଖାସ୍ତକାରୀ ଏନେଇ ଜିଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲାପାଳ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାବତ ଜିଲାପାଳ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏପରିକି ପରବର୍ତ୍ତୀ ସମୟରେ ମହାରଥୀଙ୍କ ସହ ସାମନ୍ତରାୟଙ୍କୁ ଏକାଠି ଦେଖିବାକୁ ମିଳିିଥିଲା। ଉଭୟଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଭାଜପା ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ଯୁଧିଷ୍ଠୀର ପୁରୁଣା ଅଭିଯୋଗ କହି ଏଡ଼ାଇ ଯାଇଥିଲେ।