୧୦ରେ ଓଡ଼ିଶା ଆସିବେ ଶିବରାଜ ସିଂହ ଚୌହ୍ବାନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଭାଜପାର ସଦସ୍ୟତା ଅଭିଯାନ ଗତ ଜୁଲାଇ ୬ରୁ ଦେଶ ସମେତ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନର ସମୀକ୍ଷା କରିବା ସହ ଓଡ଼ିଶାରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ରେ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ଭାଜପା ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୧୦ ତାରିଖ ସକାଳେ ସେ ଭୁବନେଶ୍ୱରଠାରେ ପହଞ୍ଚି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ। ଏହାପରେ ଖୋର୍ଦ୍ଧା ଗୀତା ଭବନ ପଡିଆରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ସମସ୍ତଙ୍କୁ ସଦସ୍ୟତା କରାଇବା ସହ ଓଡ଼ିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବେ। ସେହିଦିନ ସାରେ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ସଦସ୍ୟତା କରାଇବେ ବୋଲି ଜଣାପଡିଛି। ଅଗଷ୍ଟ ୧୧ ତାରିଖ ସକାଳେ ସେ ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ଭାଜପା ନେତା ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି। ଓଡ଼ିଶାରେ ୫୦ ଲକ୍ଷ ନୂତନ ସଦସ୍ୟତା ସଂଗ୍ରହ କରିବାର ଲକ୍ଷ୍ୟ ରଖି ଭାଜପା ରାଜ୍ୟ ଶାଖା ଅଭିଯାନ ବ୍ୟାପକ କରିଛି।