୧୦ବର୍ଷ ପରେ ମିଳିଲା ହଜିଲା ପୁଅ

ପାରାଦୀପ, ୨୨।୨ (ସ୍ବ.ପ୍ର.): ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ଶୁକ୍ରବାର ମହାଶିବରାତ୍ରୀରେ ପୁଅକୁ ଫେରିପାଇବା ପରେ ଆତମ ବିଭୋର ହୋଇପଡ଼ିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଏକ ଦମ୍ପତି। ଘଟଣା ମୁତାବକ, ଜଗନ୍ନାଥ ପ୍ରସାଦ ଥାନା ମେଣ୍ଢପୁର ଗ୍ରାମର ଜୟନ୍ତ ସ୍ବାଇଁଙ୍କ ପୁଅ ସୁଦର୍ଶନ ୨୦୦୯ରେ ଘରୁ ବାହାରି ସୁରଟ ଯାଉଛି ବୋଲି କହିଥିଲେ। ହେଲେ ଶୁକ୍ରବାର ପାରାଦୀପ ଆଦର୍ଶଥାନା ଅଧୀନ ଶାରଳା ମନ୍ଦିର ନିକଟରୁ ସୁଦର୍ଶନଙ୍କୁ ଉଦ୍ଧାର କରି ପରିବାର ଲୋକେ ଘରକୁ ନେଇଛନ୍ତି। ସୁଦର୍ଶନ ଜଣେ ମାନସିକ ବିକାରଗସ୍ତ ଭାବେ ପାରାଦୀପରେ ବୁଲୁଥିଲେ। ଜଳଧର ବାରିକ ନାମକ ଜଣେ ସେବାକାରୀ ସୁଦର୍ଶନଙ୍କ ସେବା କରୁଥିବା ସମ୍ପର୍କିତ ଖବର ସାମାଜିକ ଗଣମାଧ୍ୟମରେ ଦେଖି ତାଙ୍କୁ ଚିହ୍ନି ପାରିଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଗତ ଦୁଇଦିନ ହେବ ପାରାଦୀପ ଆସି ସୁଦର୍ଶନଙ୍କୁ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କୁ ଶାରଳା ବନ୍ଦିର ନିକଟରୁ ଉଦ୍ଧାର କରି ନିକଟସ୍ଥ ଥାନାକୁ ନେଇଥିଲେ। ସେଠାରେ ଆଇନ ଅନୁସାରେ ବିଭିନ୍ନ କାଗଜପତ୍ର ସରିବା ପରେ ପରିବାର ଲୋକେ ସୁଦର୍ଶନଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି। ତେବେ ନଣ୍ଡା କରାଯାଇଥିବାରୁ ସୁଦର୍ଶନଙ୍କୁ ଚିହ୍ନିବା ସହଜ ହେଲା ବୋଲି ତାଙ୍କ ବାପା ଜୟନ୍ତ କହିଛନ୍ତି। ଏଥିସହ ନିଜ ଆତ୍ମିୟଙ୍କୁ ଦେଖିବା ପରେ ସୁଦର୍ଶନଙ୍କର କିଛିମାତ୍ରାରେ ସ୍ମରଣଶକ୍ତି ଫେରୁଥିବା ଦେଖାଯାଇଥିଲା। ସୁଦର୍ଶନଙ୍କର ଦୁଇଟି ପୁଅ ଅଛନ୍ତି। ସୁଦର୍ଶନ ମିଳିଯିବା ପରେ ମା-ବାପାଙ୍କୁ ପୁଅ, ସ୍ତ୍ରୀଙ୍କୁ ସ୍ବାମୀ ଓ ପିଲା ଦୁଇଟିଙ୍କୁ ବାପା ମିଳିଗଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କୋହଭରା କଣ୍ଠରେ କହିଛନ୍ତି।