୧ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷକ

ନୟାଗଡ଼ ଅଫିସ,୧୪।୮-ଜଣେ ଶିକ୍ଷକଙ୍କ ଏମଏସ୍‌ପି (ବର୍ଦ୍ଧିତ ଦରମା) ମଞ୍ଜୁର କରାଇଦେବା ପାଇଁ ଅନ୍ୟ ଜଣେ ଶିକ୍ଷକ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା ମର୍ଦ୍ଦାବାଡ଼ି ଗ୍ରାମର ଚିତ୍ତରଞ୍ଜନ ପଣ୍ଡା।
ଭିଜିଲାନ୍ସ ଡିଏସ୍‌ପି ଶିଶିର ଭୋଇଙ୍କ ସୂଚନା ଅନୁସାରେ ଚିତ୍ତରଞ୍ଜନ ପଣ୍ଡା ଖଣ୍ଡପଡ଼ା ବ୍ଲକ ନଟବର ପ୍ରସାଦ ଏମ୍‌ ଇ ସ୍କୁଲରେ ସହକାରୀ ଶିକ୍ଷକ ଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଛନ୍ତି। ସେ ନିକଟସ୍ଥ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ଚନ୍ଦ୍ର ପତିଙ୍କ ଏମଏସ୍‌ପି ମଞ୍ଜୁର କରାଇ ଦେବା ପାଇଁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଟଙ୍କାକୁ ସେ ଖଣ୍ଡପଡ଼ା ବିଇଓ କାର୍ଯ୍ୟାଳୟରେ ଦାଖଲ କଲେ ପ୍ରତାପ ଚନ୍ଦ୍ରଙ୍କ ଏମଏସ୍‌ପି ଲାଗୁ ହେବ ବୋଲି କହିଥିଲେ। ସୋମବାର ଏ ନେଇ ପ୍ରତାପ ଚନ୍ଦ୍ର ନୟାଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ରାତ୍ର ୮ଟା ୩୦ ସମୟରେ ପୂର୍ବ ଯୋଜନା ଅନୁସାରେ ଭାପୁର ବ୍ଳକ ବାହାଡ଼ା ଛକଠାରେ ପ୍ରତାପଚନ୍ଦ୍ର ଶିକ୍ଷକ ଚିତ୍ତରଞ୍ଜନଙ୍କୁ ୧ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡିଥିଲେ। ଏ ନେଇ ୩୧/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଖଣ୍ଡିଏ ୫୦୦ ଟଙ୍କିଆ ଓ ୫ ଖଣ୍ଡ ୧୦୦ ଟଙ୍କିଆ ନୋଟ୍‌କୁ ଜବତ କରାଯାଇଥିବା ଭିଜିଲାନ୍ସ ଡିଏସ୍‌ପି ଶିଶିର ଭୋଇ ପ୍ରକାଶ କରିଛନ୍ତି।