Categories: ବାଣିଜ୍ୟ

ୟେସ୍‌ ବ୍ୟାଙ୍କ ଉପରୁ ୧୮ରେ ଉଠିବ କଟକଣା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାର ୟେସ୍‌ ବ୍ୟାଙ୍କ ପୁନର୍ଗଠନ ଯୋଜନାର ବିଜ୍ଞପ୍ତି ଶନିବାର ଜାରି କରିଛନ୍ତି। ଏହା ଯୋଜନା ଅଧିନରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ଲଗାଇଥିବା ଉଠାଣ କଟକଣା ଏବଂ ଅନ୍ୟ ମୋରାଟୋରିୟମ ସର୍ତ୍ତ ମାର୍ଚ୍ଚ ୧୮ରେ ଉଠାଇ ଦେବ ବୋଲି ଜଣାପଡିଛି। ପୁନର୍ଗଠିତ ଏହି ବ୍ୟାଙ୍କ ଲାଗି ସରକାର ନୂଆ କରି ଏକ ବୋର୍ଡ ଗଠନ କରିଛନ୍ତି। ଏଥିରେ ଉକ୍ତ ବ୍ୟାଙ୍କ ଲାଗି ବର୍ତ୍ତମାନର ଆଡମିନିଷ୍ଟ୍ରେଟର ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାରଙ୍କୁ ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନୀଲ ମେହେଟାଙ୍କୁ ମଧ୍ୟ ଏହି ବୋର୍ଡ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବୋର୍ଡରେ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ସେମାନେ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।
ପୁନର୍ଗଠିତ ଏହି ବ୍ୟାଙ୍କରେ ନିବେଶ ଲାଗି ଘରୋଇ ବ୍ୟାଙ୍କଗୁଡ଼ିକ ଆଗେଇ ଆସିଛନ୍ତି। ଶୁକ୍ରବାର ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ ନିବେଶ ନେଇ ଚୂଡାନ୍ତ କରିଥିବା ବେଳେ ଶନିବାର ବନ୍ଧନ ବ୍ୟାଙ୍କ ଏବଂ ଫେଡେରାଲ ବ୍ୟାଙ୍କ ନିବେଶ ନେଇ ସମ୍ମତି ପ୍ରଦାନ କରିବ। ବନ୍ଧନ ବ୍ୟାଙ୍କ ୩୦୦ କୋଟି ନିବେଶ କରିବାକୁ ଥିବାବେଳେ ୩୦ କୋଟି ଇକ୍ୱିଟି ଅଂଶଧନ ହାସଲ କରିବ। ପ୍ରମୁଖ ଘରୋଇ ବ୍ୟାଙ୍କଗୁଡିକ ୟେସ୍‌ ବ୍ୟାଙ୍କରେ ୩,୧୦୦ କୋଟି ଟଙ୍କା ନିବେଶ କରିବେ। ଏହାବାଦ ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୭୨୫୦ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡିଛି। ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ଉଭୟ ୧୦୦୦ କୋଟି ଟଙ୍କା ଲେଖାଏ ନିବେଶ କରିବାକୁ ଥିବାବେଳେ ଆକ୍ସିସ ବ୍ୟାଙ୍କ ୬୦୦ କୋଟି, ଫେଡେରାଲ ବ୍ୟାଙ୍କ ୩୦୦ କୋଟି ନିବେଶ ଯୋଜନା ରଖିଛନ୍ତି। ଏହାବାଦ କୋଟାକ ମହିନ୍ଦ୍ରା ବ୍ୟାଙ୍କ ୫୦୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି।

Share