Categories: ଜାତୀୟ

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି ସୁଲ୍‌ତାନଙ୍କ ଜୟନ୍ତୀକୁ ଦଳ ୨୦୧୫ରୁ ବିରୋଧ କରିଆସୁଛି। ସିଦ୍ଦାରାମାୟା ନେତୃତ୍ୱାଧୀନ କଂଗ୍ରେସ ସରକାର ଅମଳରୁ ଏଠାରେ ଏହା ଧୁମ୍‌ଧାମରେ ପାଳନ କରାଯାଇଥିଲା। ଗତ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ସମୟରେ ମଧ୍ୟ ଏହି ଜୟନ୍ତୀ ରାଜ୍ୟରେ ପାଳନ କରାଯାଇଥିଲା। ୟେଦୁରପ୍ପା ସରକାର ଏହାକୁ ରଦ୍ଦ କରିବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବିରଜ୍‌ପେଟ୍‌ର ଭାଜପା ବିଧାୟକ କେ.ଜି. ବୋପାୟା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଏନେଇ ଚିଠିଲେଖି ଟିପୁ ଜୟନ୍ତୀ ମହୋତ୍ସବ ରଦ୍ଦ କରିବା ଲାଗି ଅନୁରୋଧ କରିଥିଲେ। ଏହି ଉତ୍ସବକୁ ନେଇ ପୂର୍ବରୁ କୋଡାକୁ ଜିଲାରେ ହିଂସାକାଣ୍ଡ ଘଟିଥିଲା। ଭିଏଚ୍‌ପି ସଦସ୍ୟ କୁଟ୍ଟାପ୍ପା ଏଥିରେ ମୃତ୍ୟୁବରଣ କରିଥିଲେ। ତେଣୁ ଏଭଳି ହିଂସାକୁ ରୋକିବା ଲାଗି ଟିପୁ ଜୟନ୍ତୀ ରଦ୍ଦ କରାଯିବାକୁ ସେ ଦାବି କରିଥିଲେ। କ୍ୟାବିନେଟରେ ଏନେଇ ଆଲୋଚନା କରାଯିବା ପରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏହି ଜୟନ୍ତୀ ରଦ୍ଦ କରିଥିବା ଜଣାପଡ଼ିଛି। ଭାଜପା ଓ ଦକ୍ଷିଣପନ୍ଥୀ ନେତାମାନେ ଏହି ଜୟନ୍ତୀକୁ ବିରୋଧ କରିଆସୁଥିଲେ।
ଏଭଳି ନିଷ୍ପତ୍ତିକୁ କଂଗ୍ରେସ ନେତା ସିଦ୍ଦାରାମାୟା ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ମହୀଶୂର ରାଜା ଟିପୁ ବ୍ରିଟିଶ୍‌ ସରକାର ବିରୋଧରେ ଲଢ଼େଇ କେବଳ କରି ନ ଥିଲେ, ସେ ଜଣେ ଦେଶଭକ୍ତ ଥିଲେ। ମହୀଶୂରର ବିକାଶ ଲାଗି ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। କେଆର୍‌ ଡ୍ୟାମ୍‌ ତାଙ୍କ ଅମଳରେ ହୋଇଥିଲା। କୃଷି ଓ ଶିଳ୍ପର ବିକାଶ ଲାଗି ସେ ବହୁବିଧ କାର୍ଯ୍ୟ କରଥିିଲେ।

Share