ହୋଲିରେ ପୋଲିସର ଚଢାଉ: ୪ ଲକ୍ଷ ଟଙ୍କାର ମଦ ଜବତ, ୫ ଗିରଫ

ଆନନ୍ଦପୁର, ୧୦।୩(ସ୍ବ.ପ୍ର.)-ହୋଲିରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ କରାଯାଇ ଚୋରା ମଦ ବ୍ୟବସାୟୀଙ୍କ ଘରେ ଏବଂ ମଦ ବିକ୍ରି ସ୍ଥାନରେ ଚଢାଉ କରାଯାଇଛି। ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନେତୃତ୍ୱରେ ଗୋଟିଏ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ କରାଯାଇଥିଲା। ଆନନ୍ଦପୁର ଥାନା ଶାଳବଣି ଛକଠାରେ ଚଢାଉ କରାଯିବା ସହିତ ସ୍ଥାନୀୟ ଏକ ଘରୁ ୩ଲକ୍ଷ ୫୦ହଜାର ଟଙ୍କାର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ନନ୍ଦିପଦା ଥାନା ବାହିରପୁର ଗ୍ରାମରେ ମଧ୍ୟ ଚଢାଉ କରାଯାଇଥିଲା। ଚଢାଉରେ ୬ ପେଟି ବିଦେଶୀ ମଦ ଓ ୫୦ ଲିଟର ଦେଶୀମଦ ଜବତ କରାଯାଇ ବିକାଶ ଯେନା ନାମକ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ବେଆଇନ ମଦ ବିକ୍ରି ଅଭିଯୋଗରେ ପୋଲିସ ଫକୀରପୁର ଗ୍ରାମର କୀର୍ତ୍ତନ ଯେନା, ଅଭିମନ୍ୟୁ ଯେନା, ଶାଳବଣି ଗ୍ରାମର ବ୍ରହ୍ମାନନ୍ଦ ବାରିକ, ଭିକାରୀ ଦାସଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।