ହୋମ କ୍ୱାରାଣ୍ଟାଇନରେ 25266 ବିଦେଶ, ଅନ୍ୟ ରାଜ୍ୟ ଫେରନ୍ତା

ଛତ୍ରପୁର,୪।୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ବହିରାଗତଙ୍କ ମଧ୍ୟରୁ ବର୍ତ୍ତମାନ 25 ହଜାର 266 ଜଣ ହୋମ୍ କ୍ୱାରାଣ୍ଟାଇନରେ ଅଛନ୍ତି। ସେଥିମଧ୍ୟରେ 415 ଜଣ ବିଦେଶରୁ ଫେରିଥିବାବେଳେ 24 ହଜାର 851 ଜଣ ରାଜ୍ୟ ବାହାରୁ ଫେରିଥିଲେ। ତାଙ୍କ ଘର ବାହାରେ ସୂଚନାଫଳକ ଲଗାଯାଇ ପ୍ରତିଦିନ ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ଘରକୁ ଯାଇ ଭଲମନ୍ଦ ପଚାରି ବୁଝୁଛନ୍ତି। ଏଥିସହ ପ୍ରତିଦିନ ଏ ସମ୍ପର୍କିତ ରିପୋର୍ଟ ଜିଲାପାଳଙ୍କ ନିକଟକୁ ପଠାଯାଉଛି। ଅପରପକ୍ଷରେ 315 ଜଣ ବିଦେଶ ଫେରନ୍ତାଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ସରିଯାଇଛି। ତେବେ ଅବଧି ସରିଲା ପରେ ମଧ୍ୟ ଅନ୍ୟମାନଙ୍କ ଭଳି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲାକୁ ମୋଟ ୭୩୦ ଜଣ ବିଦେଶରୁ ଫେରିଥିଲା ବେଳେ 24 ହଜାର 851 ଜଣ ବାହାର ରାଜ୍ୟରୁ ଫେରିଥିଲେ। ବର୍ତ୍ତମାନ ସୁଦ୍ଧା 158 ଜଣ କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲା, ତେବେ କେହି ସଂକ୍ରମିତ ନ ଥିବା ଜଣାପଡିଥିଲା।