ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର ଜଣକ ପ୍ରାୟ ୪୫ ମିନିଟ୍‌ ଧରି ବନ୍ଦ କୋଠରିରେ ରହିବା ପରେ ଷ୍ଟାଣ୍ଡାର୍ଡ଼-୭ରେ ପଢୁଥିବା ତାଙ୍କ ବଡ଼ ଭଉଣୀ ଖୋଜିଖୋଜି ସେଠାରେ ପହଞ୍ଚତ୍ ଜଣେ କର୍ମଚାରୀଙ୍କ ଦ୍ୱାରା ସାନଭାଇକୁ ଉଦ୍ଧାର କରିଛନ୍ତି। କୋରାପୁଟ ଜିଲା ଜୟପୁର ସୂର୍ଯ୍ୟମହଲରେ ରହିଥିବା ଏକ ଘରୋଇ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏନେଇ ଛାତ୍ରଙ୍କ ଅଭିଭାବକ ଟାଉନଥାନାରେ ଏତଲା ଦେଇଛନ୍ତି।
ପ୍ରକାଶ ଯେ, ଗତ ସୋମବାର ଛାତ୍ର ଜଣକ ହୋମୱାର୍କ କରି ନ ଥିବାରୁ ଶିକ୍ଷୟିତ୍ରୀ ଅନ୍ତିମ ପିରିୟଡ଼ରେ ତାଙ୍କୁ ମାଡ଼ ମାରିବା ସହ କ୍ଲାସରୁମ୍‌ରେ ହିଁ ପାଠ ଲେଖିବା ପାଇଁ କହିଥିଲେ। କିନ୍ତୁ ଘଣ୍ଟି ବାଜିଯିବାରୁ ପିଲାମାନେ କ୍ଲାସ୍‌ରୁମ୍‌ରୁ ବାହାରି ଯାଇଥିଲେ। ପୀଡ଼ିତ ଛାତ୍ର ଜଣକ ସେହି ସମୟ ଭିତରେ ଲେଖିପାରି ନ ଥିବା ଯୋଗୁ ଶିକ୍ଷୟିତ୍ରୀ ତାଙ୍କୁ ସେଠାରେ ରହିବାକୁ କହି ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌ କରିବା ପରେ ଶ୍ରେଣୀକକ୍ଷ କବାଟ ବନ୍ଦକରି ଚାଲିଯାଇଥିଲେ। ପରେ ବିଦ୍ୟାଳୟର କର୍ମଚାରୀ ଉକ୍ତ ବନ୍ଦ କବାଟରେ ତାଲା ପକାଇ ଦେଇଥିଲେ। ବାହାରେ ଅପେକ୍ଷା କରିଥିବା ବଡ଼ଭଉଣୀ ଭାଇ ଆସି ନ ଥିବା ଦେଖି ଖୋଜାଖୋଜି କରିବା ପରେ ସେ କ୍ଲାସରୁମ୍‌ରେ ଥିବା ଜାଣିପାରିଥିଲେ। ବିଦ୍ୟାଳୟର କର୍ମଚାରୀଙ୍କ ଜରିଆରେ କବାଟ ଖୋଲାଯାଇ ଛାତ୍ର ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଛାତ୍ରଙ୍କ ପିତା ଡା. ଧବଳେଶ୍ୱର ମେହେର ପ୍ରଥମେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ବିଦ୍ୟାଳୟ ଛୁଟି ଥିବା ଯୋଗୁ ଫୋନ୍‌ରେ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଫୋନ୍‌ ଉଠାଇ ନଥିଲେ। ଅନ୍ୟପକ୍ଷରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ଟାଉନ ଥାନା ସୂଚନା ଦେଇଛି।