ହୋମଗାର୍ଡଙ୍କୁ ଦୈନିକ ମଜୁରି ୫ଶହ ଟଙ୍କା ଦିଅ: ହାଇକୋର୍ଟ

କଟକ ଅଫିସ,୨୯।୨: ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ଏଣିକି ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ମଜୁରି ମିଳିବ। ଶୁକ୍ରବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଜଷ୍ଟିସ୍‌ ବିଶ୍ୱନାଥ ରଥ ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବର୍ଦ୍ଧିତ ମଜୁରି ଗତ ଜାନୁୟାରୀଠାରୁ ପିଛିଲା ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏତଦ୍‌ବ୍ୟତୀତ ଆସନ୍ତା ତିନି ମାସ ଭିତରେ ହୋମଗାର୍ଡମାନଙ୍କ କ୍ଷେତ୍ରରେ ସପ୍ତମ ବେତନ କମିଶନ ଲାଗୁ କରିବାକୁ ବିଚାରପତି ରାୟରେ ଜଣାଇଛନ୍ତି। ଏହି ନିର୍ଦ୍ଦେଶର ଲାଭ ରାଜ୍ୟରେ କାର୍ଯ୍ୟରତ ୧୭, ୬୭୫ଜଣ ହୋମଗାର୍ଡ଼ ପାଇପାରିବେ।
ଆବେଦନକାରୀ ପ୍ରକାଶ କୁମାର ଜେନା ଏବଂ ଅନ୍ୟ ଦୁଇଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ବେଳେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍‌ ରଥ। ଆବେଦନରେ ଦର୍ଶାଯାଇଥିଲା, ହୋମଗାର୍ଡମାନେ ଅନ୍ୟ ପୋଲିସ କର୍ମଚାରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ଏପରି କି ହୋମଗାର୍ଡମାନଙ୍କ ବିନା କୌଣସି କାମ ହୋଇପାରୁନି। ହେଲେ ଅନ୍ୟ ପୋଲିସ କର୍ମଚାରୀଙ୍କ ଭଳି ହୋମଗାର୍ଡମାନଙ୍କୁ ଦରମା ଦିଆଯାଉନି। ସେମାନେ ଜଣେ ଦିନମଜୁରିଆଙ୍କ ଠାରୁ ମଧ୍ୟ କମ୍‌ ଦରମା ପାଉଛନ୍ତି। ପୂର୍ବରୁ ହୋମ୍‌ଗାର୍ଡଙ୍କୁ କନଷ୍ଟେବଳଙ୍କ ଭଳି ଦରମା ଦେବାକୁ ସୁପ୍ରିମ୍‌କୋର୍ଟ ୨୦୧୬ ମସିହାରେ ନିର୍ଦ୍ଦେଶ ଦେଇଥିଲେ। ୮ଟି ରାଜ୍ୟ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରି କରିଥିବାବେଳେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଏପରି କି ଓଡ଼ିଶା ଅଗ୍ନିଶମ ଏବଂ ହୋମ୍‌ଗାର୍ଡ ଡିଜି ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ତଥାପି ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇ ନ ଥିଲା। ଏଣୁ ହୋମଗାର୍ଡ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।