ହୋଟେଲରୁ ବନ୍ଧୁକଧାରୀ ଯୁବକ ଅଟକ

ଫୁଲବାଣୀ ଅଫିସ, ୨୭ା୧୨: ଶାନ୍ତିପୂର୍ଣ୍ଣ ସହର ଫୁଲବାଣୀ ଧୀରେ ଧୀରେ କ୍ରାଇମ ସିଟି ହେବାରେ ଲାଗିଛି। କିଛି ଦିନ ହେବ ଲୁଟତ୍‌ରାଜକୁ ନେଇ ପୋଲିସ ଚାପରେ ଥିବାବେଳେ ବୁଧବାର ବିଳମ୍ବିତ ରାତିରେ ଏକ ନାମୀ ହୋଟେଲରୁ ୨ଜଣ ବନ୍ଧୁକଧାରୀ ଯୁବକଙ୍କୁ ପୋଲିସ ଧରିଛି। ବନ୍ଧୁକ ଜବତ ହୋଇଥିବାରୁ ସେମାନେ କୌଣସି ବଡ ଅପରାଧ ଘଟାଇବାକୁ ଆସିଥିବା ଏବେ ସହରସାରା ଚର୍ଚ୍ଚା ହେଉଛି। ପୋଲିସ ଏ ବିଷୟରେ ପାଟି ଖୋଲୁ ନ ଥିବାବେଳେ ଏହି ୨ଜଣଙ୍କୁ ମିଶାଇ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସମ୍ପୃକ୍ତ ଯୁବକମାନେ ଗଞ୍ଜେଇ ଚୋରା ଚାଲାଣ, ଚୋରି କିମ୍ବା କାହାକୁ ମର୍ଡର କରିବାକୁ ଆସିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ବନ୍ଧୁକଧାରୀ ଯୁବକଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର। ଫୁଲବାଣୀରୁ ପଶ୍ଚିମବଙ୍ଗର ଯାଏ କ’ଣ ଲିଙ୍କ ରହିଛି ତାହା ପୋଲିସ ଖୋଳତାଡ କରୁଛି। ବିଶେଷସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ, ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ହୋଟେଲରେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ଏକ ନମ୍ବର ବିହୀନ କାର ମଧ୍ୟ ଜବତ ହୋଇଛି। ତଦନ୍ତ ଚାଲିଥିବାରୁ ଅଧିକ କିଛି କହିବାକୁ ଥାନାଧିକାରୀ ନରେଶ କୁମାର ସାହୁ ମନା କରିଛନ୍ତି। ଦିନକୁ ଦିନ ଅପରାଧ ବଢୁଥିବାରୁ ଫୁଲବାଣୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।