Categories: ମେଟ୍ରୋ

ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହୋଇପାରିଲାନି ଫାର୍ମଗେଟ୍‌ ବସ୍ତି ଉଚ୍ଛେଦ। ରବିବାର ବସ୍ତି ଉଚ୍ଛେଦ ପାଇଁ ଯାଇଥିବାବେଳେ ବସ୍ତିବାସିନ୍ଦାମାନେ ପୋଲିସ ଓ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌କୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଡିଏ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ବୁଝାଶୁଝା ସତ୍ତ୍ୱେ ବସ୍ତିବାସିନ୍ଦା ନିଜ ଜିଦ୍‌ରେ ଅଡ଼ି ବସିବାରୁ ଉଚ୍ଛେଦ କାର୍ଯ୍ୟ ହୋଇପାରି ନ ଥିଲା। ଜେସିବି ମଧ୍ୟ ଆଗକୁ ଗଡ଼ିପାରି ନ ଥିଲା। ବାଧ୍ୟହୋଇ ଉଚ୍ଛେଦକୁ ସ୍ଥଗିତ ରଖାଯାଇଛି। ସୋମବାର ଦିନ ଅଧିକ ସଂଖ୍ୟକ ଫୋର୍ସ ସହ ପୁଣି ଫାର୍ମଗେଟ୍‌ ବସ୍ତିକୁ ଉଚ୍ଛେଦ କରାଯିବ ବୋଲି ବିଡିଏରୁ ଜଣାପଡ଼ିଛି।
ଅନ୍ୟପଟେ ପ୍ରଶାସନ ମିଛକଥା କହି ଉଚ୍ଛେଦ କରୁଥିବାର ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ପଣ୍ଡାପାର୍କ ବସ୍ତିକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ସେମାନଙ୍କୁ କେଉଁଠି ଥଇଥାନ କରାଯିବ ସେହିସ୍ଥାନ ଦେଖାନ୍ତୁ ବୋଲି ସେମାନେ ଦାବି ବାଢ଼ିଛନ୍ତି। ଏପଟେ ପିଲାଙ୍କ ପରୀକ୍ଷା ସାଙ୍ଗକୁ ଉଚ୍ଛେଦ ଚିନ୍ତା ଦୈନନ୍ଦିନ ଜୀବନକୁ କଲବଲ କରୁଛି। ତେଣୁ ମରିବୁ ପଛେ ବସ୍ତି ଛାଡ଼ିବୁ ନାହିଁ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି।
ସବୁଠାରୁ ବଡ଼ କଥା ହେଲା, ଯେଉଁମାନଙ୍କର ସରକାରୀ ଆବାସ ଯୋଜନାରେ ଘର ମିଳିଛି ସେମାନଙ୍କ ବସ୍ତି ଉଚ୍ଛେଦ କରାଗଲେ ଟ୍ରାଞ୍ଜିଟ୍‌ ହାଉସ୍‌ କିମ୍ବା ପଣ୍ଡା କୁଦିଆ ବସ୍ତିରେ ଥଇଥାନ କରାଯାଉଛି। ମାତ୍ର ବହୁ ସମସ୍ୟା ଭିତରେ ଲୋକମାନେ ସେଠାରେରହୁଛନ୍ତି। ତେଣୁ ସେଠାକୁ ଯିବାକୁ ରାଜି ହେଉନାହାନ୍ତି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ସିରିପୁର ଫାର୍ମଗେଟ୍‌ ନିକଟ ସରକାରୀ ଜମିରେ ୧୨୦ରୁ ଊର୍ଦ୍ଧ୍ୱ ପରିବାର ରହିଆସୁଛନ୍ତି। ସେଠାରୁ ବସ୍ତିକୁ ଉଠାଇବା ପାଇଁ ଦୀର୍ଘ ଦିନ ଧରି ଉଦ୍ୟମ ହେଉଛି। ପୂର୍ବରୁ ଅନେକ ଥର ବସ୍ତି ଉଚ୍ଛେଦ କରିବାକୁ ଯାଇ ବସ୍ତିିବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇ ଉଚ୍ଛେଦକାରୀ ଟିମ୍‌ ଫେରିଛି। ରବିବାର ୩ ପ୍ଲାଟୁନ ପୋଲିସ ଫୋର୍ସ୍‌ ସହ ବିଡିଏ ଓ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ ପାଇଁ ସେଠାରେ ପଞ୍ଚତ୍ବା ପରେ ତୀବ୍ର ବିରୋଧ କରାଯାଇଥିଲା।