ହୃଦ୍‌ଘାତରେ ଯାଉଛି ବାର୍ଷିକ ୧୩ ଲକ୍ଷ ଜୀବନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଭାରତରେ ପ୍ରତି ବର୍ଷ ୧୩ ଲକ୍ଷ ଲୋକଙ୍କର ହୃଦ୍‌ଘାତ (ହାର୍ଟ ଆଟାକ) ଯୋଗୁ ମୃତ୍ୟୁ ହେଉଥିବା ବେଳେ ଓଡିଶାରେ ମଧ୍ୟ ପ୍ରତି ଘଣ୍ଟାରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡୁଛନ୍ତି। ବୁଧବାର ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସ ଏ.ଜି. ଓଡିଶା ଆନୁକୂଲ୍ୟରେ ବିଶ୍ୱ ବନ୍ଦ ହୃଦକ୍ରିୟା ପୁନଃ ପ୍ରଚଳନ ଦିବସ ବୁଧବାର ଏ.ଜି (ଆକାଉଣ୍ଟାଣ୍ଟ ଜେନେରାଲ) ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। ସମୁଦାୟ ମୃତ୍ୟୁର ୧୫ ପ୍ରତିଶତ ଲୋକ ଦେଶରେ ହୃଦ୍‌ଘାତ ଯୋଗୁ ମୃତ୍ୟୁବରଣ କରୁଛନ୍ତି। ୨୦୨୫ ବେଳକୁ ଏହା ୧୮ ଲକ୍ଷକୁ ଛୁଇଁବ ବୋଲି ଆକଳନ କରାଯାଇଛି। ହୃଦ୍‌ଘାତରେ ପ୍ରାଣ ହରାଉଥିବା ୯୦ ଭାଗ ଲୋକ କର୍ମସ୍ଥଳୀ, ଘରେ ଓ ସାଧାରଣ ସ୍ଥାନରେ ହୃଦ୍‌ଘାତର ଶିକାର ହୋଇ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମରି ଯାଉଛନ୍ତି। ହୃଦ୍‌ଘାତର ୩ରୁ ୫ ମିନିଟ ଭିତରେ ଚିକିତ୍ସା ଦିଆଯାଇ ପାରିଲେ ମୃତ୍ୟୁହାରକୁ ବହୁ ପରିମାଣରେ ରୋକାଯାଇ ପାରନ୍ତା ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡାକ୍ତର ଓ ଗବେଷକମାନେ ମତ ଦେଇଛନ୍ତି।
ପ୍ରଧାନ ମହାଲେଖାକାର ମଧୁସ୍ମିତା ବସୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ହର ପ୍ରସାଦ ପଟ୍ଟନାୟକ, ମହାଲେଖାକାର ଯଶୋଧାରା ରାୟ ଚୌଧୁରୀଙ୍କ ସମେତ ବହୁ ସ୍ବାସ୍ଥ୍ୟ ବିଜ୍ଞାନୀ ଓ ଡାକ୍ତର ଯୋଗଦେଇଥିଲେ।