ହୃଦ୍‌ଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ନିଯୁକ୍ତି

ବଅଁରପାଳ,୨।୧୦ (ଡି.ଏନ.ଏ.)-ନାଲ୍‌କୋ ସିପିପି ଅପରେଶନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ ସକାଳେ ପ୍ଲାଣ୍ଟରେ କାମ କରୁଥିବାବେଳେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, ଏନଏନଇୟୁ ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ, ଶ୍ରମିକ ନେତା ଭରତ ଚନ୍ଦ୍ର ମାଝି, ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ, ନେପୁ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ, ନାଲ୍‌କୋ ପେରିଫେରି ଟ୍ରକ୍‌ ମାଲିକ ସଂଘ ସଭାପତି ସୁବାସ ଚନ୍ଦ୍ର ପଟ୍ଟନାୟକ, ଯୁବ ବିଜେଡି ନେତା ନରେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଥିଲେ। ତେବେ ପ୍ଲାଣ୍ଟ ପରିସରରେ ପ୍ରବୀଣଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନାଲ୍‌କୋରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଶ୍ରମିକ ନେତାମାନେ ସକାଳ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାଲ୍‌କୋ ଡାକ୍ତରଖାନାରେ ମୃତଦେହ ଅଟକ ରଖିଥିଲେ। ଏ ନେଇ ନାଲ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ମୃତଦେହ ଉଠିଥିଲା।