ହୁକିଟୋଲାଠାରେ ନିର୍ମାଣ ହେବ ଭାସମାନ ଜେଟି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲାଠାରେ ଚଳିତବର୍ଷ ଗୋଟିଏ ଭାସମାନ ଜେଟି ନିର୍ମାଣ କରାଯିବ। ଏଥିସହ ଯିବାଆସିବା କରିବା ଲାଗି ନଦୀକୂଳଠାରୁ ହୁକିଟୋଲା ପର୍ଯ୍ୟନ୍ତ ଏକ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କରାଯାଉଛି। ଏଠାରେ ମଧ୍ୟ ଏକ ଓ୍ବାଚ୍‌ଟାଓ୍ବାର ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସ୍ଥା ହୋଇଛି। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।
ମୂଳପ୍ରଶ୍ନରେ ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ ହୁକିଟୋଲା ଜମ୍ବୁଦ୍ୱୀପ ବତିଘରକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇ ଏହାର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ବତିଘର ଓ ଜମ୍ବୁ ଦ୍ୱୀପରେ ଅବସ୍ଥିତ ହୁକିଟୋଲାକୁ ୨୦୧୪ରେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦିଆଯାଇଛି। ସେଠାରେ ଥିବା ପୁରୁଣା ବ୍ରିଟିଶ ଅମଳର କୋଠାକୁ ବିଶ୍ୱବ୍ୟାଙ୍କ ସହାୟତାରେ ଆଇସିଜେଡ୍‌ଏମ୍‌ପି ମାଧ୍ୟମରେ ୧୦୩୯୩୧୩୮ ଟଙ୍କା ଖର୍ଚ୍ଚ କରାଯାଇ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ କହିଥିଲେ ଯେ ପର୍ଯ୍ୟଟନ ବିଭାଗ କୁନ୍ଥେଇ କୁନ୍ଥେଇ ଚାଲୁଛି। ବୃହତ୍‌ ଆକାରରେ କିଛି ହେଉ ନାହିଁ। କେରଳ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ହୋଇଛି। ଏଥିପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଧୀମେଇ ଧୀମେଇ ପର୍ଯ୍ୟଟନ ବିଭାଗ ଚାଲୁ ନାହିଁ। ରାଜ୍ୟର ୪୮୨ କି.ମି. ବେଳାଭୂମି ରହିଛି। ପୁରୀରେ ହୋଇଥିବା ଇକୋ ରିଟ୍ରିଟ ବିଶ୍ୱ ପ୍ରସିଦ୍ଧ ହୋଇଛି। ଏଠାକୁ ବିଦେଶୀ ପର୍ଯ୍ୟଟକମାନେ ଆସିଛନ୍ତି। ଅନ୍ୟ ବେଳାଭୂମିରେ ମଧ୍ୟ ଏଭଳି ଇକୋ ରିଟ୍ରିଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।