ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖାଦେବା ସହ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରି ତୁରନ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ପାନୀୟ ଜଳ ସଂକ୍ରମଣ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଥିବା ବେଳେ ନିମ୍ନମାନର ପାଣି ପାଇପ ଫାଟି ଏହି ରୋଗ ବ୍ୟାପୁଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣା ଜନସାଧାରଣ ବିଶେଷ ଭାବରେ ଶିଶୁ ଓ ବୟସ୍କଙ୍କ ସ୍ବାସ୍ଥ୍ୟସମସ୍ୟା ପ୍ରତି ବଡ ବିପଦ ଦେଖାଯାଇଛି। ତେଣୁ ଜନସାଧାରଣଙ୍କ ଜରୁରୀକାଳୀନ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ। ଆକ୍ରାନ୍ତଙ୍କୁ ଠିକ୍‌ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସମ୍ବଲପୁର ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସହ କଥା ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ଭାଜପା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।