ହିଲଭିୟୁ ପାର୍କରେ ଚାଲିଲା ଟୟଟ୍ରେନ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ରହିଥିବା ପର୍ଯ୍ୟଟନକେନ୍ଦ୍ର ହିଲଭିୟୁ ପାର୍କ ପରିସରରେ ଶନିବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟଟ୍ରେନ ଆରମ୍ଭ ହୋଇଛି। ଦୀର୍ଘଦିନ ହେଲା ଉକ୍ତ ଟୟଟ୍ରେନର କାର୍ଯ୍ୟ ଚାଲିଥିବାବେଳେ କିଛିଦିନ ହେଲା ଠିକା ସଂସ୍ଥା ପକ୍ଷରୁ ଅବହେଳା କରାଯିବା ପ୍ରସଙ୍ଗ ବାରମ୍ବାର ବୈଠକରେ ଆଲୋଚନା ହେଉଥିଲା। ପ୍ରଶାସନିକ ସ୍ତରରେ ଅବହେଳାକୁ ନେଇ ଏକାଧିକ ଥର ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ସ୍ଥାନୀୟ ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ଆରମ୍ଭ କରିଛି ା ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ବେଳେ ସେପ୍ଟେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଷାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିଥାନ୍ତି। ହେଲେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ସେମିତି କିଛି ଆଖିଦୃଶିଆ ସୁବିଧା ନଥିବାବେଳେ ସେମାନଙ୍କୁ ଆକୃଷ୍ଟ କଲାଭଳି କୌଣସି ବ୍ୟବସ୍ଥା ନଥିଲା। ଏବେ ଶିଶୁ ପର୍ଯ୍ୟଟକଙ୍କୁ ଟୟ ଟ୍ରେନ୍‌ ଆକୃଷ୍ଟ କରିପାରିବ ବୋଲି ପାର୍କର ରକ୍ଷଣାବେକ୍ଷଣ କରୁଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି। ରବିବାରଠାରୁ ଶିଶୁ ପର୍ଯ୍ୟଟକଙ୍କୁ ଏହା ସମର୍ପିତ କରାଯିବାକୁ ଲକ୍ଷ ରଖାଯାଇଛି। ସୂଚନାଯୋଗ୍ୟଯେ ଉକ୍ତ ଟୟଟ୍ରେନ ପାଇଁ ପ୍ରାୟ ୬ଲକ୍ଷ ଟଙ୍କା ଅନୁଦାନ ରହିଥିଲା।

Share