ହାଲୁକା ବର୍ଷାରୁ କୋହଲା ପାଗ: ବଢ଼ିବ ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୨୭-୧୨(ବ୍ୟୁରୋ): ଆକାଶରେ ମାଳ ମାଳ ବାଦଲ। ଏହା ସାଙ୍ଗକୁ ହାଲୁକା ବର୍ଷା। ପରିବେଶକୁ ଶୀତୁଆ କରିଦେଇଛି। ଗୁରୁବାର ରାଜ୍ୟରେ ଏଭଳି ଅବସ୍ଥା ଦିନ ତମାମ୍‌ ଲାଗି ରହିଥିଲା। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ତାଳଚେର ୩, ଚାନ୍ଦବାଲି ୦.୪, ବାରିପଦା ୧, ଝାରସୁଗୁଡ଼ା ୦.୬, ସୁନ୍ଦରଗଡ଼ ୪ ଓ କେନ୍ଦୁଝରରେ ୦.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗୋପାଳପୁର ଏବଂ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଭଳି ପାଗ ଆଉ ଗୋଟିଏ ଦିନ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ ଓ ଅନ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଖୋର୍ଦ୍ଧା, କଟକ ଜିଲାରେ ପ୍ରବଳ କୁହୁଡ଼ି ହେବ ବୋଲି ଅନୁମାନ କରାଯାଇଛି। ତେବେ ଆସନ୍ତା ୨୮ ତାରିଖରୁ ପାରଦ ତଳକୁ ଖସିବ ଓ ଶୀତ ବଢ଼ିବ। ୩୦ ତାରିଖ ଯାଏ ଏହାର ପ୍ରଭାବ ରହିବ। ୩୧ ତାରିଖରୁ ପାରଦ ପୁଣି ଉପରମୁହଁା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ରେକର୍ଡ କରିଛି। ଏଠାରେ ତାପମାତ୍ରା ୯.୩ ଡିଗ୍ରୀ ସେଲ୍‌ସିୟସ ଥିବା ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଭାଗରେ ୧୧ରୁ ୧୯ ଡିଗ୍ରୀ ମଧ୍ୟରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ୧୪.୮, କଟକ ୧୫, ପାରାଦୀପ ୧୭.୫, ଭୁବନେଶ୍ୱର ୧୭.୧, ଗୋପାଳପୁର ୧୯.୭, ପୁରୀ ୧୭.୪, ଅନୁଗୋଳ ୧୨.୬, ବାରିପଦା ୧୫.୫, ଝାରସୁଗୁଡ଼ା ୧୬, କେନ୍ଦୁଝର ୧୩.୪, ସମ୍ବଲପୁର ୧୫, ସୁନ୍ଦରଗଡ଼ ୧୧, ହୀରାକୁଦ ୧୬, ତାଳଚେର ୧୪.୧ ଫୁଲବାଣୀ ୧୩, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ସେଲ୍‌ସିୟସ ଥିବା ରେକର୍ଡ କରାଯାଇଛି।