ହାତୀ ମୃତ୍ୟୁ ଘଟଣାର ତଦନ୍ତ କଲେ ଆରସିସିଏଫ

ଯୋଡ଼ା/କେନ୍ଦୁଝର, ୮।୫(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଓ ବାମେବାରୀ ବନପାଳ ଅଧୀନ କେନ୍ଦୁଘାଟି ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ରାଉରକେଲାରୁ ଆରସିସିଏଫ (ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ) ଭଞ୍ଜ କିଶୋର ସ୍ବାଇଁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏହି ସମୟରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ,ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର, ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସୂଚନାଥାଉ କି, ଗତ ସୋମବାର ଉକ୍ତ ଜଙ୍ଗଲରେ ଏକ ହାତୀ ମୃତଦେହର କିଛି ଅଂଶ ବିଶେଷ ପଡିଥିବା ଦେଖିବାକୁ ମିଳିଥିଲା ା ପରେ ଝୁମ୍ପୁରା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯାଇ ହାତୀର ହାଡ଼ ଓ ଚମଡାକୁ ପରୀକ୍ଷା ପାଇଁ ଡେରାଡୁନ୍‌ ଡବ୍ଲ୍ୟୁଆଇଆଇକୁ ପଠାଯାଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ବନ ବିଭାଗ ପକ୍ଷରୁ ଏକ ଅପମୃତ୍ୟୁ ମାମଲା (ନଂ.୨/୨୦) ରୁଜୁ କରାଯାଇଛି। କେନ୍ଦୁଝର ଡିଏଫଓ ଏହି ଘଟଣା ନେଇ ବୁଧବାର ଚମ୍ପୁଆ ରେଞ୍ଜର ଓ ବାମେବାରୀ ବନପାଳଙ୍କ ସମେତ ଜଣେ ବନ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ଏପ୍ରିଲ ୧୪ ତାରିଖରେ ସ୍ଥାନୀୟ ଲୋକେ ହାତୀ ମୃତ୍ୟୁ ସମ୍ପର୍କରେ ଜାଣି ପାରିଥିବା ବେଳେ ବନପାଳ ଏବଂ କର୍ମଚାରୀମାନେ କିପରି ଜାଣି ପାରିଲେ ନାହିଁ ସେ ସମ୍ପର୍କରେ ଆରସିସିଏଫ ଓ କେନ୍ଦୁଝର ଡିଏଫଓ ତଦନ୍ତ କରୁଛନ୍ତି।