ହାତୀ ଆକ୍ରମଣରେ ଆହତ ଯୁବତୀଙ୍କ ମୃତ୍ୟୁ

ଠାକୁରମୁଣ୍ଡା,୧୧ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଚାଞ୍ଚବଣି ଗ୍ରାମରେ ଗତ ୧ ତାରିଖରେ ହାତୀ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ କେଶବ ନାଏକଙ୍କ ଝିଅ ଲୀଳାବତୀ ।
ସୂଚନା ଅନୁଯାୟୀ, ବାପ ଝିଅ କରଞ୍ଜିଆ ବଜାରରୁ ଜିନିଷ କିଣି ଘରକୁ ଚାଲି ଚାଲି ଫେରୁଥିବା ସମୟରେ ଅପରାହ୍ନ ୪ ଟା ସମୟରେ କୁରୁଳିଆ ଜଙ୍ଗଲରେ ଥିବା ୨୨ଟିକିଆ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିଥିଲେ। ହାତୀ ଦେଖି ବାପ ଝିଅ ଦୌଡ଼ିବା ସମୟରେ ଲୀଳାବତୀ ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ଗୋଟିଏ ହାତୀ ଆସି ତାଙ୍କୁ ପାଦରେ ଚାପି ଦେଇଥିଲା। ଘଟଣାସ୍ଥଳରୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।