ହାତୀପଲ ପାଇଁ ବନ ବିଭାଗ ନୟାନ୍ତ

ଜଳେଶ୍ୱର, ୧୨।୧୨(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ଜଳେଶ୍ୱର ରେଞ୍ଜ ଅଧୀନ ରାଇବଣିଆ ସମେତ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ମୁରୁଡ଼ା ଅଞ୍ଚଳରେ ଉପଦ୍ରବ ଚଳାଇଥିବା ହାତୀପଲ ଜଙ୍ଗଲତଳି ଇଲାକାରେ ଲୋକଙ୍କ ନିଦ ହଜାଇଛନ୍ତି। ଏହି ଅଞ୍ଚଳକୁ ପଶି ଆସିଥିବା ଶତାଧିକ ଝାଡଖଣ୍ଡ ହାତୀ ରାତି ହେଲେ ଗାଁ ଓ ଚାଷ ଜମିକୁ ପଶି ପାଚିଲା ଧାନ ଖାଇ କ୍ଷତି ଘଟାଇ ଚାଲିଛନ୍ତି। କେତେକ ବାସଗୃହ ମଧ୍ୟ ଭାଙ୍ଗିଛନ୍ତି। ହାତୀପଲକୁ ପଶ୍ଚିମବଙ୍ଗ ଆଡକୁ ଘଉଡାଇବା ଲାଗି ଉଦ୍ୟମ କରି ବନ କର୍ମଚାରୀ ନୟାନ୍ତ ହେଉଛନ୍ତି। ବନ ବିଭାଗର ୨ ଜଣ ଡିଏଫଓ ଉପସ୍ଥିତ ରହି ହାତୀ ଝଉଡାଇବା କାର୍ଯ୍ୟର ତଦାରଖ କରୁଛନ୍ତି।
ଜଳେଶ୍ୱର ରେଞ୍ଜ ଅଫିସର ଦେବେନ୍ଦ୍ରନାଥ ପାତ୍ରଙ୍କ କହିବା ଅନୁଯାୟୀ ଝାଡଖଣ୍ଢ ହାତୀପଲରେ ବହୁ ସଂଖ୍ୟକ ଦନ୍ତା ସମେତ ପ୍ରାୟ ୯୮ଟି ହାତୀ ରହିଛନ୍ତି। ସେମାନେ ୨ଦିନ ଧରି ଲୁହାପଡ଼ା ଜଙ୍ଗଲ !ନିକଟରେ ଅଟକିଥିଲେ। ସୋମବାର ବନକର୍ମଚାରୀ ହାତୀ ଘଉଡ଼ାଇବାରେ ସଫଳ ନ ହେବାରୁ ମଙ୍ଗଳବାର ଘଟଣାସ୍ଥଳରେ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡା ଓ ମୟୂରଭଞ୍ଜ ଡିଏଫ୍‌ଓ ସ୍ବୟଂ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଳେଶ୍ୱର ରେଞ୍ଜରେ ଥିବା କର୍ମଚାରୀ, ଓଲମରାର ହାତୀ ସୁରକ୍ଷା ବାହିନୀ ଓ ସବୁଜ ବାହିନୀ ମିଳିତ ଭାବେ ୪ଟି ଦଳରେ ବିଭକ୍ତ ହୋଇ ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାର ୨ଟି ରେଞ୍ଜରୁ ଆସିଥିବା କର୍ମଚାରୀ ୭ଟି ଦଳରେ ବିଭକ୍ତ ହୋଇ ହାତୀଙ୍କୁ ସୁବର୍ଣ୍ଣରେଖା ବହୁମୁଖୀ ଯୋଜନାରେ ଖନନ ହୋଇଥିବା କେନାଲ ପାର କରାଇ ପଶ୍ଚିମବଙ୍ଗ ମୁହଁା କରାଇଥିବା ସୂଚନା ମିଳିଛି। ଉକ୍ତ ପଲରେ ପ୍ରାୟ ୧୧୭ଟି ହାତୀ ଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।