ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ ଚାଷୀ ଓ ଚାଷର ପ୍ରଭୁତ କ୍ଷତି ହେଉଥିବା ବେଳେ ବନବିଭାଗର ନିଦ ଭାଙ୍ଗୁ ନ ଥିବା ଦେଖିବାକୁ ମିଳିଛି। ସେମିତ ସ୍କ୍ବାର୍ଡଦ୍ୱାରା ହାତୀପଲକୁ ଘଉଡା ଯାଉଥିଲେ ମଧ୍ୟ ଚାଷ କ୍ଷୟକ୍ଷତିକୁ ରୋକାଯାଇ ପାରୁନାହିଁ। ମାସେ କାଳ ଧରି ହାତୀପଲ ଦ୍ୱାରା ଅଡଙ୍ଗାପାଳର ଆମ୍ବ ବଗିଚା ନଷ୍ଟ କରି ଆମ୍ବଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଗତ ସୋମବାର ସନ୍ଧ୍ୟାରେ ଚମ୍ପୁଆ ଏନଏସି ଅଞ୍ଚଳର ରାମଲା ଠାରେ ଧନୁର୍ଜୟ ଲାଗୁରୀଙ୍କ ୨ଏକର ପାଖାପାଖି ମକା ଫସଲ ଉଜାଡି ଦେଇଛନ୍ତି। ଆଉ ଅଳ୍ପଦିନ ପରେ ଏହି ଫସଲ ଆମଦାନୀ ହୋଇଥାନ୍ତା। ଗତ ସୋମବାର ସନ୍ଧ୍ୟା ସମୟରେ ୧୮ ଗୋଠିଆ ହାତୀପଲ ମୟୂରଭଞ୍ଜ ଆଡୁ ବୈତରଣୀ ନଦୀ ପାର ହୋଇ ରାମଲା ଗ୍ରାମରେ ପହଞ୍ଚି ଥିଲେ। ସେଠାରେ ମକା ଫସଲ ଖାଇବା ସହିତ ମାଡି ଦଳି ମକା ଚାଷକୁ ଧ୍ୱଂଶ ବିଧ୍ୱଂଶ କରି ଦେଇଛନ୍ତି। ବନ ବିଭାଗ ପକ୍ଷରୁ ଏହି ହାତୀପଲ ଉପରେ ନଜର ରଖାଯାଇଥିଲେ ମଧ୍ୟ ଚାଷୀର ଚାଷକୁ ଏମାନଙ୍କ ମୁହଁରୁ ବଞ୍ଚାଇ ପାରୁନାହାନ୍ତି।