ହାଟରେ ଚାଲିଛି ଜୁଆଖେଳ

ଖଇରା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ହାଟରେ ଏବେ ଜୁଆଖେଳ ବ୍ୟାପକ ଆକାର ଧାରଣ କଲାଣି। ଜୁଆଖେଳ ସାଙ୍ଗକୁ ମହୁଲି ମଦର ଆସର ମଧ୍ୟ ଜମୁଛି। ହାଟ ପାଳି ମଙ୍ଗଳବାର ଓ ଶୁକ୍ରବାର ଓଡିଶାର ବିଭିନ୍ନ ଜିଲାରୁ ଲୋକଙ୍କ ସୁଅ ଛୁଟୁଛି। ଜୁଆରେ ଉଡିଯାଉଛି ଲକ୍ଷ ଲକ୍ଷ ଟଙ୍କା। ଶାରୀଶୁଆ ପାହାଡ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ଘରୋଇ ହିଂସା ବଢି ବଢି ଚାଲିଛି। ବହୁ କ୍ଷମତାଶାଳୀ ଲୋକ ଏଥିରେ ସମ୍ପୃକ୍ତ ଥିବାରୁ ପ୍ରଶାସନ ବନ୍ଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଉଦ୍‌ବେଗର ବିଷୟ ଯେ, ମହିଳା ଗୋଷ୍ଠୀଙ୍କୁ ଆମତ୍ନିର୍ଭରଶୀଳ ହେବାକୁ ସରକାର ଆର୍ଥତ୍କ ସହାୟତା ଦେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଗୋଷ୍ଠୀ ଏହି ଅର୍ଥକୁ ଜୁଆଖେଳରେ ଲଗାଉଛନ୍ତି। ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିପୁର ପଞ୍ଚାୟତର ଶହ ଶହ ମହିଳା ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି।
ଉକ୍ତ ହାଟ ବହୁତ ପୁରୁଣା ହାଟ। ଏଠାରେ ବନ୍ୟଜାତ ସାମଗ୍ରୀ ତଥା ପାହାଡ ତଳିଆ ଅଞ୍ଚଳରେ ଉପତ୍ାଦିତ ସାମଗ୍ରୀ ବିକ୍ରି ପାଇଁ ପ୍ରସିଦ୍ଧ ଥିଲା। ଏବେ ତାହା ଗୌଣ ହୋଇଯାଇଛି। ଜୁଆ ଖେଳ, ମହୁଲି ମଦ ବିକ୍ରି ପାଇଁ ଏହି ହାଟ ବାଲେଶ୍ୱର ସମେତ ଏହା ସଂଲଗ୍ନ ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲା ଲାଗି ପ୍ରମୁଖ ସ୍ଥଳ ପାଲଟିଛି। ୭ଟି ସ୍ଥାନରେ ଜୁଆ ଖେଳ ଚାଲିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ସମେତ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ସାମିଲ ହେଉଛନ୍ତି। ହାଟବାରିରେ ଶହ ଶହ ସଂଖ୍ୟାର ଦାମୀ ଗାଡି ହାଟରେ ଲାଗୁଛି। କେତେକ ତଳିଆ ପୋଲିସ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜୁଆଖେଳ ଓ ନିଶାସେବନ ଯୋଗୁ ୫ବର୍ଷ ମଧ୍ୟରେ ୧୫ରୁ ଊର୍ଦ୍ଧ୍ୱ ଆତ୍ମହତ୍ୟା, ଚୋରି, ହତ୍ୟା, ମଦମୃତ୍ୟୁ ଭଳି ଘଟଣା ଘଟିସାରିଲାଣି। କେବଳ ବର୍ତ୍ତନା ଆହ୍ଲାବାଦ ବ୍ୟାଙ୍କ ଓ କୁପାରୀ ଷ୍ଟେଟବ୍ୟାଙ୍କ ଶାଖାରୁ ୨ଥର ଚୋରି ଏହାର ଉଦାହରଣ ବୋଲି କୁହାଯାଇପାରେ। ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ, ଏଥିରେ ବହୁ ଅସାମାଜିକ ଯୁବକ ସାମିଲ ଥିବାରୁ ସିଧାସଳଖ ପଦକ୍ଷେପ ନେବା ସମ୍ଭବ ହେଉନାହିଁ। ଖୁବ ଶୀଘ୍ର ସେ ବନ୍ଦ ପାଇଁ ପୋଲିସର ସହାୟତା ନେବେ ବୋଲି କହିଛନ୍ତି। ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ପଚାରିବାରେ ଚଢାଉ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।