ହାଇୱାକୁ ପଛପଟୁ ଧକ୍କା ଦେଲା ଅଟୋ: ଚାଲିଗଲା ୩ ଭଉଣୀଭାଇଙ୍କ ଜୀବନ

ସମ୍ବଲପୁର,୪।୬(ବ୍ୟୁରୋ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଏଲ୍‌ଆଣ୍ଡଟି ଟୋଲ୍‌ ପ୍ଲାଜା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ପରିବାରର ୩ ଭଉଣୀଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କଳାହାଣ୍ଡି ଜିଲା କେସିଙ୍ଗା ଥାନା ଭମରମାଲ ଗ୍ରାମର ପୁନମ ବାଗ, ନେମସିକା ବାଗ, ବେଣୁଧର ବାଗ। ସମ୍ବଲପୁର ଶାସନସ୍ଥିତ ନୂଆଖୁରିଗାଁ ସାଲେଶ୍ୱର ରାଇସ୍‌ ମିଲରେ କାମ କରୁଥିବା ଶ୍ରମିକ ପରିବାର ଦଶାହ କାର୍ଯ୍ୟରେ ଯୋଗଦେବାକୁ ନିଜ ଗାଁ ଭମରମାଲକୁ ଯାଉଥିଲେ। ପରିବାର ଏକ ଅଟୋ ନଂ.ଓଡି ୩୧ଜି ୧୮୮୨ ଯୋଗେ ରାଇସମିଲରୁ ସମ୍ବଲପୁର ଷ୍ଟେସନକୁ ଟ୍ରେନ ଧରିବା ପାଇଁ ଯାଉଥିଲେ। ଟୋଲପ୍ଲାଜା ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ହାଇୱା ଜେଏଚ ୧୦ ବିଟି ୮୬୭୭କୁ ପଛପଟୁ ଅଟୋ ଧକ୍କା ଦେଇଥିଲା। ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ଶାସନ ପୋଲିସ, ଟୋଲ୍‌ ପ୍ଲାଜା କର୍ମଚାରୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅନ୍ୟ ୬ଜଣ ବୈଧେଇ ବାଗ, ପୂର୍ବୀ ବାଗ, ଜୟନ୍ତୀ ବାଗ, ବାଦଲ ବାଗ, ପିଙ୍କି ସିକା, ଅଟୋ ଚାଳକ ଝରଘାଟି ଗ୍ରାମର ରାକେଶ ପାଣିଗ୍ରାହୀ ବୁର୍ଲା ଡାକ୍ତରଖାନାରେ ଚିିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ସହିତ ହାଇୱାକୁ ଜବତ କରିଛି। ହାଇୱା ଡ୍ରାଇଭରକୁ ଅଟକ ରଖିଛି।