ହାଇଦ୍ରାବାଦ ଫେରନ୍ତା କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଉତ୍ତେଜନା: ସରପଞ୍ଚଙ୍କୁ ଘେରିଲେ ଲୋକେ

ବାହାନଗା, ୧୫ା୫(ଡି.ଏନ.ଏ.)-ହାଇଦ୍ରାବାଦରୁ ଆସିଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ଯୁବକ ସରକାରୀ କ୍ୱାରାଣ୍ଟାଇନ୍‌କେନ୍ଦ୍ରରେ ନ ରହି ଘରେ ରହିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମର ଯୁବକମାନେ ଗୁରୁବାର ଏହାର ପ୍ରତିବାଦ କରି ସ୍ଥାନୀୟ ସରପଞ୍ଚଙ୍କୁ ଘେରାଉ କରିଥିଲେ।
ରୂପଖଣ୍ଡ ଗ୍ରାମର ବସନ୍ତ କୁମାର ପଣ୍ଡା ହାଇଦ୍ରାବାଦରେ ରହି କାମ କରନ୍ତି ା ଲକ୍‌ଡାଉନ୍‌ ଯୋଗୁ ସେ ନିଜ ଘରକୁ ଗତ ୧୨ତାରିଖ ମଙ୍ଗଳବାର ରାତିରେ ଆସି ପହଞ୍ଚିଥିଲେ। ତେବେ ସେ ପଞ୍ଜୀକୃତ କରି ନ ଥିବା ବେଳେ ହାଇଦ୍ରାବାଦରୁ ଆସି ଘରେ ପହଞ୍ଚିବା ବିଷୟରେ ପ୍ରଶାସନ କିମ୍ବା ସ୍ଥାନୀୟ ସରପଞ୍ଚ ଅବଗତ ହୋଇ ନ ଥିଲେ। ସେହି ରାତିରେ ଗ୍ରାମବାସୀ ବିଡିଓ ରଘୁନାଥ ପାଣିଗ୍ରାହୀ, ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର, ସରପଞ୍ଚ ଶିଶିର କୁମାର ଅଗସ୍ତିଙ୍କୁ ଖବର ଦେଇଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବୁଧବାର ବିଡିଓ ପାଣିଗ୍ରାହୀ, ତହସିଲଦାର କର ପ୍ରମୁଖ ଉକ୍ତ ଯୁବକଙ୍କ ଘରକୁ ଯାଇଥିଲେ। ହେଲେ ଘରେ ଥିବା ମା’ ଓ ପୁଅଙ୍କୁ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବା ପାଇଁ କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ। ଏନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ବିଡିଓ ମା’ ଓ ପୁଅଙ୍କୁ ଘରୁ ବାହାରକୁ ଯିବା ଆସିବା ମନା କରିଥିବା ବେଳେ ଯୁବକଙ୍କ ମା’ ଗୁରୁବାର ଗଁା ମନ୍ଦିରକୁ ଯାଇ ପୂଜା କରିଥିଲେ। ଫଳରେ ଗ୍ରାମର ଅନ୍ୟ ମହିଳାମାନେ ଆଉ ସେହି ମନ୍ଦିରକୁ ପୂଜା କରିବା ପାଇଁ ଯାଇ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମର କୁଳମଣି ବେହେରା, ଦେବେନ୍ଦ୍ର ତ୍ରିପାଠୀ, ଅଭିମନ୍ୟୁ ବେହେରା, ସୀତାନାଥ ବେହେରା, ରତିକାନ୍ତ ଦାସ, କାଳେନ୍ଦ୍ର ଚରଣ ମହାପାତ୍ର ପ୍ରମୁଖ ଗ୍ରାମବାସୀ ତୁରନ୍ତ ମା’ ପୁଅଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଦାବି କରି ସରପଞ୍ଚ ଶିଶିର କୁମାର ଅଗସ୍ତିଙ୍କୁ ଘେରାଉ କରିଥିଲେ। ଯଦି ପ୍ରଶାସନ କିମ୍ବା ସରପଞ୍ଚ କୌଣସି ପଦକ୍ଷେପ ନ ନିଅନ୍ତି ତା’ ହେଲେ ଗ୍ରାମକୁ ଆଉ ଯେଉଁମାନେ ଆସିବାର ଅଛି ସେମାନଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ରେ ରଖାଯିବ ନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି। ଏ ବିଷୟରେ ବିଡିଓ ରଘୁନାଥ ପାଣିଗ୍ରାହୀ କହିଛନ୍ତି ଯେ, ଆମେ ସେ ଗାଁକୁ ବୁଧବାର ସନ୍ଧ୍ୟାରେ ଯାଇଥିଲୁ। ମୋ ସହିତ ତହସିଲଦାର ମଧ୍ୟ ଯାଇଥିଲେ। ଲୋକମାନଙ୍କୁ ଆମେ ବୁଝାଇ ସରକାରୀ ଗାଇଡ୍‌ଲାଇନ୍‌ ଦେଖାଇଲା ପରେ ସମସ୍ତେ ବୁଝିଥିଲେ। ପରେ ଗ୍ରାମବାସୀ ଯଦି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ତେବେ ବାଧ୍ୟ ହୋଇ ତାଙ୍କୁ ଆମେ ପଞ୍ଚାୟତ କ୍ୱାରାଣ୍ଟାଇନ୍‌କୁ ନେଇଆସିବୁ ା ସରକାରୀ ନିୟମ ଅନୁଯାୟୀ ଯାହାର ଘରେ ସୁବିଧା ଅଛି ସେ ନିଜ ଘରେ ହୋମ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ବୋଲି ପ୍ରକାଶ କରିଥିଲେ ା