Categories: ଗଞ୍ଜାମ

ହାଇଦ୍ରାବାଦରେ ମୃତ୍ୟୁ, ହିଞ୍ଜିଳିରେ ହତ୍ୟା ମାମଲା: ସ୍ବାମୀ ଗିରଫ

ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ): ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ହିଞ୍ଜିଳି ଥାନା ପୋଲିସ ମଙ୍ଗଳବାର ଆଙ୍କୋରଡା ଗ୍ରାମର ପ୍ରଶାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି ମଧୁମିତା। ଏନେଇ ମଧୁମିତାଙ୍କ ବାପା ପାଟପୁର ଥାନା ଗମ୍ଭାରୀଗୁଡାର ଡାକ୍ତର ଜେନା ଗତ ୧୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୨୫/୧୯ରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରିଥିବା ଆଇଆଇସି ଅଭିମନ୍ୟୁ ଦାଶ ଜଣାଇଛନ୍ତି।
ପ୍ରକାଶ ଥାଉ କି, ଗତ ୧୩ରେ ପ୍ରଶାନ୍ତ ସ୍ତ୍ରୀ ମଧୁମିତାଙ୍କୁ ଶଶୁର ଘର ଗମ୍ଭାରୀଗୁଡାରୁ ନେଇ ହାଇଦ୍ରାବାଦ ଯାଇଥିଲେ। ୧୪ତାରିଖରେ ସେମାନେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ବୁଲି ରାତିରେ ରହୁଥିବା ଲଜ୍‌କୁ ଫେରିଥିଲେ। ଏନେଇ ରାତି ୯ଟାରେ ମଧୁମିତା ବାପଘରକୁ ଫୋନ କରି ଜଣାଇଥିଲେ। ତେବେ ରାତି ପ୍ରାୟ ୧୧ରେ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ପ୍ରଶାନ୍ତ ଶଶୁର ଘରକୁ ଫୋନ କରି ଜଣାଇଥିଲେ। ପ୍ରଶାନ୍ତ ତାଙ୍କ ଝିଅ ମଧୁମିତାଙ୍କୁ ଷଡଯନ୍ତ୍ର କରି ଯୌତୁକ ପାଇଁ ହତ୍ୟା କରିଥିବା ଡାକ୍ଟର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ହିଞ୍ଜିଳି ପୋଲିସର ଏକ ଟିମ ହାଇଦ୍ରାବାଦ ଯାଇ ମଧୁମିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ବାପଘର ପରିବାରକୁ ହସ୍ତାନ୍ତର କରିଥିଲା। ସେଠାରୁ ପ୍ରଶାନ୍ତଙ୍କୁ ହେପାଜତକୁ ନେଇ ତଦନ୍ତ ଚଳାିଥିଲା। ପୋଲିସ ପ୍ରଶାନ୍ତଙ୍କ ଘରୁ ବିଭିନ୍ନ ଯୌତୁକ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ପକ୍ଷରେ ମଧୁମିତାଙ୍କ ମୃତ୍ୟୁ ନେଇ ହାଇଦ୍ରାବାଦର ଅଫଜଲଗଞ୍ଜ ଥାନାରେ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସତ୍ୟାସତ୍ୟ ଜଣା ପଡିବ ବୋଲି ଆଇଆଇସି ଦାଶ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମଧୁମିତାଙ୍କ ସହ ପ୍ରଶାନ୍ତଙ୍କ ବିବାହ ୨୦୧୩ ମେ’୨୯ରେ ହୋଇଥିଲା। ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରି ସେ ବହୁ ସମୟରେ ବାପ ଘର ଗମ୍ଭାରୀଗୁଡାରେ ରହୁଥିଲେ।